ଓଡ଼ିଶା 365 (ବ୍ୟୁରୋ): ପାଲେଷ୍ଟାଇନ୍ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି । ଇସ୍ରାଏଲ ହମାସ ଉପରେ ବାରମ୍ବାର ଆକ୍ରମଣ କରୁଥିବା ବେଳେ ହମାସ ମଧ୍ୟ ଇସ୍ରାଏଲ ଉପରେ ଘନ ଘନ ରକେଟ୍ ମାଡ଼ କରୁଛି । ଏହି ଯୁଦ୍ଧରେ ଉଭୟ ପକ୍ଷରୁ ୩୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହମାସ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏପଟେ ପଡୋଶୀ ସିରିୟା ଓ ଲେବାନନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ସିରିୟା ଓ ଲେବାନନ ମାଟିରୁ କ୍ଷେପଣାସ୍ତ୍ର ମାଡ ପରେ କଡା ଜବାବ ଦେଇଛନ୍ତି ଇସ୍ରାଏଲ ସେନା । ଆଗକୁ ତିନିପଟୁ ଆକ୍ରମଣର ତୀବ୍ରତା ବଢିବା ଆଶଙ୍କା କରି ଇସ୍ରାଏଲ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ବଙ୍କରରେ ରହିବାକୁ କୁହାଯାଇଛି ।
ସେପଟେ ଇସ୍ରାଏଲ ବାୟୁସେନାର ଭୟଙ୍କର ଆକ୍ରମଣରେ ଛାରଖାର ହୋଯାଇଛି ଗାଜାଷ୍ଟ୍ରିପ । ବିଦ୍ୟୁତ ଯୋଗାଣ ଠପ ହୋଇଯାଇଥିବା ବେଳେ ଖାଦ୍ୟ, ଇନ୍ଧନ ସମେତ ଅନ୍ୟ ଜରୁରୀ ସାମାଗ୍ରୀର ଉତ୍କଟ ଅଭାବ ଦେଖା ଦେଇଛି । ଇସ୍ରାଏଲ ବାୟୁ ସେନା ପକ୍ଷରୁ ଜୋରଦାର ଆକ୍ରମଣ ହେଉଥିବାରୁ ଭୟରେ ଗାଜାରୁ ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକ ସହର ଛାଡିସାରିଲେଣି ।