ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରୁ ଫେରିଯାଇଛି ମୌସୁମୀଜନିତ ବର୍ଷା। ଏହାପରେ ପରେ ଏବେ ରାଜ୍ୟରେ ଶୁଖିଲା ରହିଛି ପାଗ । କୌଣସି ଜିଲ୍ଲାରେ ପ୍ରାୟତଃ ବର୍ଷା ନାହିଁ । ଏହା ସହ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ରେଖା ରକ୍ସୌଲ, ଡାଲଟନଗଞ୍ଜ, କାଙ୍କେର, ରାମଗୁଣ୍ଡମ, ବିଜାପୁର, ଭେଙ୍ଗୁର୍ଲା ଦେଇ ଗତି କରୁଛି । ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିତି ଅନୁକୂଳ ରହିଛି । ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳ ସମେତ କର୍ଣ୍ଣାଟକର ଆଉ କିଛି ଅଂଶ ଏବଂ ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶରୁ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯିବ । ଏହା ସହ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି । ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ମଧ୍ୟ ରହିଛି । ଫଳରେ ରାଜ୍ୟରେ ତିନି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି । ଏପରି ସ୍ଥିତି ଆଗକୁ ଆହୁରି ୫ ଦିନ ଲାଗିରହିବ । ଏ ନେଇ ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ କେନ୍ଦ ମୁତାବକ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ । ଫଳରେ ଆସନ୍ତା ୫ ଦିନ କଲବଲ କରିବ ତାତି।