ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ। ଗଦା ହେଉଛି ଶହଶହ ଶବ। ଯୁଦ୍ଧ ୫ଦିନରେ ପହଞ୍ଚିଛି, ତଥାପି ସ୍ଥିତି ଅଣାୟତ। ସାରା ବିଶ୍ୱ ଦେଖୁଛି ଯୁଦ୍ଧର ବିଭୀଷିକୀ । ଆଉ ଯୁଦ୍ଧର ଲୁଚକାଳି ଖେଳ ଭିତରେ ଗଲାଣି ୩ ହଜାରରୁ ଅଧିକ ଜୀବନ। ଇସ୍ରାଏଲ ଓ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଅନେକ ଲୋକ ଏବେ ବି ପଣବନ୍ଦୀ । ୧୯୪୮ ମସିହାରେ ଇସ୍ରାଏଲ୍ ପ୍ରତିଷ୍ଠା ହେବା ପରେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟ ମାନଙ୍କ ମଧ୍ୟରେ ଲାଗି ରହିଛି ଘମାଘୋଟ ଲଢେଇ । ଘନ ଘନ ରକେଟ୍ ମାଡ଼ ଜନସାଧାରଣଙ୍କ ହୋସ ଉଡାଉଛି। ହମାସର ମିଲିଟାରୀ ମୁଖ୍ୟଙ୍କ ଘରକୁ ମଧ୍ୟ ଧ୍ୱଂସ କରିଛି ଇସ୍ରାଏଲ ବାୟୁସେନା । ସେପଟେ ଛାରଖାର ହୋଇଗଲାଣି ଗାଜା । ଏହାରି ଭିତରେ ଯୁଦ୍ଧ ବନ୍ଦ କରିବାକୁ ଭାରତର ହସ୍ତକ୍ଷେପ ଦାବି କରିଛି ପାଲେଷ୍ଟାଇନ । ସେପଟେ ଭାରତ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିବା ସହ ଏହାକୁ ଦୃଢ଼ ଭାବେ ନିନ୍ଦା କରିଛି ।
ମୋଦୀ ଏହି କଷ୍ଟକର ସମୟରେ ଭାରତର ଲୋକମାନେ ଇସ୍ରାଏଲ ସହ ଅଛନ୍ତି। ଆମେ ସବୁବେଳେ ଆତଙ୍କବାଦ ବିରୋଧରେ ରହିଛୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନର ଜବାବ ଦେଇ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ, ଏକ୍ସରେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ୫ଟି ରାଷ୍ଟ୍ର ବ୍ରିଟେନ, ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲି ଏକ ମିଳିତ ବିବୃତି ଜାରି କରି ଇସ୍ରାଏଲକୁ ଦୃଢ଼ ସମର୍ଥନ କରିବା ସହ ହମାସକୁ କଡ଼ା ନିନ୍ଦା କରିଛନ୍ତି। ବିବୃତିରେ କୁହାଯାଇଛି ହମାସ ଆତଙ୍କବାଦୀ ଆକ୍ରମଣର କୌଣସି ଯଥାର୍ଥତା ନାହିଁ, ଏହାକୁ ସର୍ବସାଧାରଣରେ ନିନ୍ଦା କରାଯିବା ଉଚିତ। ଆତଙ୍କବାଦ ପାଇଁ କୌଣସି ଯୁକ୍ତି ଗ୍ରହଣୀୟ ହେବନାହିଁ। ବର୍ବର ହମାସ ଆକ୍ରମଣକୁ ସାରା ବିଶ୍ୱ ଦେଖୁଛି ବୋଲି କୁହାଯାଇଛି। ଇସ୍ରାଏଲର ପୂର୍ବତନ ଗୁଇନ୍ଦା ମୁଖ୍ୟ ଆମୋସ ୟାଦଲିନ କହିଛନ୍ତି ହମାସ୍ କୌଣସି ପ୍ରକାର ବୁଝାମଣା ପାଇଁ ପ୍ରସ୍ତୁତ ନୁହଁ, ଶାନ୍ତି ବିଷୟରେ କୌଣସି ଆଲୋଚନା ପାଇଁ ପ୍ରସ୍ତୁତ ନାହିଁ। ହମାସ୍ ମଧ୍ୟ ଆଇଏସ୍ଆଇ ଭଳି ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି। ଭାରତ ମଧ୍ୟସ୍ଥତା କଲେ ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ରୋକାଯାଇପାରିବ, ଯୁଦ୍ଧ ନୁହେଁ ଶାନ୍ତି ଫେରିବ ବୋଲି ଆଶା ରଖିଛନ୍ତି ବିଶ୍ୱବାସୀ ।