ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଓ ହମାସ ଯୁଦ୍ଧରେ ଅନେକ ନିରୀହ ଲୋକଙ୍କ ଜୀବନ ଗଲାଣି । ଏଥି ସହିତ ହଜାର ହଜାର ଲୋକ ମଧ୍ୟ ଏହି ଯୁଦ୍ଧରେ ଫସି ରହିଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ ନୁସରତ ଭାରୁଚା ମଧ୍ୟ ଏଇ ଯୁଦ୍ଧରେ ଇସ୍ରାଏଲରେ ଅଟକି ଯାଇଥିଲେ। ହେଲେ କିଛିଦିନ ତଳେ ସେ ସୁରକ୍ଷିତ ଭାବରେ ନିଜ ଦେଶକୁ ଫେରିଥିଲେ। ଫେରିବା ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ-ହମାସ ଯୁଦ୍ଧରେ ଟିଭି ଅଭିନେତ୍ରୀ ମଧୁରା ନାଇକଙ୍କ ଭଉଣୀ ଏବଂ ଭିଣୋଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏନେଇ ମଧୁରା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ହୃଦୟ ବିଦାରକ ଖବର ସେୟାର କରିଛନ୍ତି। ମଧୁରା କହିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ଭଉଣୀ ଏବଂ ଭିଣୋଇଙ୍କୁ ପାଲେଷ୍ଟାଇନ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି।
ମଧୁରା ଏହି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ‘ଓଡାୟା, ମୋ ଭଉଣୀ ଏବଂ ତାଙ୍କ ସ୍ୱାମୀଙ୍କୁ ପାଲେଷ୍ଟାଇନ ଆତଙ୍କବାଦୀମାନେ ସେମାନଙ୍କ ପିଲାମାନଙ୍କ ସାମ୍ନାରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ରବିବାର ଦିନ ସେମାନଙ୍କ ମୃତଦେହ ମିଳିଥିଲା। ମୋର ପ୍ରିୟ ଭଉଣୀର ହତ୍ୟା ପାଇଁ ମୁଁ ଗଭୀର ଦୁଃଖିତ । ତାଙ୍କର ଦୟା ଏବଂ ପ୍ରେମ ସର୍ବଦା ସ୍ମରଣୀୟ ହୋଇ ରହିବ। ଆମର ଚିନ୍ତା ଏବଂ ପ୍ରାର୍ଥନା ତାଙ୍କ ଏବଂ ସମସ୍ତ ପୀଡିତଙ୍କ ସହିତ ଅଛି । ତାଙ୍କୁ ଶାନ୍ତି ମିଳୁ।’
ସେ ଆହୁରି ମଧ୍ୟ ଲେଖିଛନ୍ତି, ଯେ ‘ଦୟାକରି ଏହି କଷ୍ଟ ସମୟରେ ଆମ ପାଇଁ ଏବଂ ଇସ୍ରାଏଲର ଲୋକମାନଙ୍କ ସହିତ ଛିଡା ହୁଅନ୍ତୁ । ସମୟ ଆସିଛି ଲୋକମାନେ ଏହି ଆତଙ୍କବାଦୀଙ୍କ ବାସ୍ତବତା ଏବଂ ସେମାନେ କିପରି ଅମାନବୀୟ କାମ କରୁଛନ୍ତି ତାହା ମଧ୍ୟ ଦେଖନ୍ତୁ।’