ଓଡ଼ିଶା 365 (ବ୍ୟୁରୋ): ଚୀନରୁ ପାଣ୍ଠି ନେଇ ଚୀନର ପ୍ରଚାର ପ୍ରସାର କରୁଥିବା ଅଭିଯୋଗରେ ନ୍ୟୁଜକ୍ଲିକ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । ବର୍ତ୍ତମାନ ଏହି ମାମଲାରେ ସିବିଆଇ ଟିମ୍ ଅନୁସନ୍ଧାନ କରୁଛି । ବୁଧବାର ଦିନ ଏକ ସିବିଆଇ ଟିମ୍ ଦିଲ୍ଲୀର ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରବୀର ପୁରକାୟଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ପ୍ରାୟ ଆଠ ଜଣଙ୍କର ଏକ ଟିମ୍ ପୁରକାୟଙ୍କ ଘରେ ଉପସ୍ଥିତ ଥିଲେ। ଏହି ଟିମ୍ ପୁରକାୟାଙ୍କ ପତ୍ନୀ ଗୀତା ହରିହରନ୍ଙ୍କୁ ପଚରାଉଚରା କରିଥିଲେ। ଏହି ମାମଲାରେ ପୁରକାୟ ବର୍ତ୍ତମାନ ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କ ସହ ନ୍ୟାୟିକ ହେପାଜତରେ ଅଛନ୍ତି।
ସିବିଆଇ ସମେତ ପାଞ୍ଚଟି ଏଜେନ୍ସି ନ୍ୟୁଜକ୍ଲିକ୍ ବିରୋଧରେ ଯାଞ୍ଚ କରୁଛନ୍ତି। ପ୍ରଥମେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା। ଏହାପୂର୍ବରୁ ଦିଲ୍ଲୀ ପୋଲିସ ଇକୋନୋମିକ ଅଫେନ୍ସ ୱିଙ୍ଗ, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ଆୟକର ବିଭାଗ ଏହି ମାମଲା ସହ ଜଡିତ ବିଭିନ୍ନ ଘଟଣାର ଅନୁସନ୍ଧାନ କରୁଥିଲେ। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ ଅନୁଯାୟୀ ନ୍ୟୁଜ୍ କ୍ଲିକ୍ ବିରୋଧରେ ଏକ ମାମଲା ରୁଜୁ କରିଛି।