ଓଡ଼ିଶା 365 (ବ୍ୟୁରୋ): ଦୀର୍ଘ ୪ ମାସ କଣ୍ଟେନରରେ ପଡ଼ିରହିବା ପରେ ସରିଲା ବାହାନଗା ଟ୍ରେନ୍ ଦୁର୍ଘଟଣାର ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯୫ ମୃତକଙ୍କ ମଧ୍ୟରୁ ୨୮ ମୃତଦେହର କୌଣସି ଦାବିଦାର ଆସିନଥିଲେ କିମ୍ବା ଶବ ଚିହ୍ନଟ ହୋଇ ପାରିନଥିଲା । ଏହା ପରେ ଗତକାଲି ଏହି ସମସ୍ତ ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୪.୩୦ ରେ ବିଏମ୍ସିର ସ୍ୱତନ୍ତ୍ର ବାହନ ଜରିଆରେ କଣ୍ଟେନର ସହିତ ପ୍ରଥମ ୩ ଟି ଶବକୁ ଏମ୍ସରୁ ଭରତପୁର ମଶାଣିକୁ ନିଆ ଯାଇଥିଲା । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜୁଇରେ ଶବ ରଖାଯାଇ ବିଧି ବ୍ୟବସ୍ଥା ଅନୁସାରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଛି । ଏହାପରେ ଗୋଟିଏ ପରେ ଶବ ବାହକ ଗାଡ଼ିରେ ଏମ୍ଏସରୁ ଭରତପୁର ମଣାଶିକୁ ଶବ ଅଣାଯାଉଥିଲା ଏବଂ ପୂର୍ଣ୍ଣ ସମ୍ମାନର ସହିତ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା । ରାତି ସାରା ଅନ୍ତିମ ସଂସ୍କାର କାମ ଜାରି ରହିଥିଲା । ଭରତପୁର ମଶାଣିରେ ପ୍ରଦୀପ ପୃଷ୍ଟିଙ୍କ ନେତୃତ୍ବରେ ୫ ଜଣ ମହିଳାଙ୍କ ସହିତ ୧୨ ଜଣିଆ ଦଳ ଏହି କାର୍ଯ୍ୟ କରିଛନ୍ତି । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସଙ୍କ ତତ୍ତ୍ବାବଧାନରେ ଏମ୍ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା ଏବଂ ଆନାଟୋମି ବିଭାଗର ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତରଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ରେଳ ବିଭାଗର ସୂଚନା ଅନୁସାରେ, ବାହାନଗା ଦୁର୍ଘଟଣାରେ ୨୯୭ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ୬ ଜଣ ପ୍ରାଣ ହରାଇଥିଲେ । ଏସବୁ ମଧ୍ୟରେ କିଛି ବ୍ୟକ୍ତି ଘଟଣା ସ୍ଥଳରୁ ନିଜ ପରିଜନଙ୍କୁ ଚିହ୍ନଟ କରି ନେଇଯାଇଥିଲେ । ୧୬୨ ମୃତ ଶରୀର ରହିଯାଇଥିଲା, ଯାହାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏମ୍ସକୁ ଅଣାଯାଇଥିଲା । ଏମ୍ସ ଆନାଟୋମି ଏବଂ ଫରେନସିକ ବିଭାଗର ମିଳିତ ପ୍ରୟାସରେ ଡାକ୍ତରୀ ଦଳ ଏହାକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖାଯାଇଥିଲା । ଗତକାଲି ସବୁର ସଂସ୍କାର କରାଯାଇଛି.