ଓଡ଼ିଶା 365 (ବ୍ୟୁରୋ) : ବିବାହକୁ ନେଇ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ହିନ୍ଦୁ ବିବାହ ବୈଦିକ ରୀତିନୀତିରେ ନହୋଇଥିଲେ ତାକୁ ମାନ୍ୟତା ଦେଇହେବ ନାହିଁ କହିଛନ୍ତି କୋର୍ଟ । ଅଗ୍ନିକୁ ସାକ୍ଷୀ ରଖି ବର-କନିଆଁ ସାତ ଫେରା ସହ ପାରମ୍ପାରିକ ରୀତିନୀତିରେ ବିବାହ କଲେ ତାକୁ ବିବାହ କୁହାଯିବ । ଖାଲି ସିନ୍ଦୁର ପିନ୍ଧାଇ ମାଳ ପିନ୍ଧାଇଦେଲେ ତାକୁ ବିବାହ କୁହାଯିବ ନାହିଁ ବୋଲି କହିଛନ୍ତି କୋର୍ଟ ।
ଏକ ମାମଲାର ଶୁଣାଣି ବେଳେ ଏଭଳି ରାୟ ପ୍ରକାଶ ପାଇଛି । ସ୍ମୃତି ୨୦୧୭ରେ ସତ୍ୟମ ସିଂହ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ କିଛିଦିନ ପରେ ସେ ଶାଶୁଘର ଛାଡ଼ି ବାପଘରେ ରହୁଥିଲେ। ଶାଶୁଘରେ ଯୌତୁକ ନିର୍ଯାତନା ଦେଉଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୁଲିସ ସ୍ୱାମୀ ଏବଂ ଶାଶୁଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା।ଏହାପରେ ସତ୍ୟମ, ପତ୍ନୀ ଛାଡ଼ପତ୍ର ନ ଦେଇ ଅନ୍ୟତ୍ର ବିବାହ କରିଥିବାର ଏକ ଅଭିଯୋଗ ଦାଖଲ କରିଥିଲେ। ଏନେଇ ମିର୍ଜାପୁର କୋର୍ଟରେ ମାମଲା ବିଚାରାଧୀନ ଚାଲିଛି। ଅପ୍ରେଲ ୧, ୨୦୨୨ରେ କୋର୍ଟ ସ୍ମୃତିଙ୍କୁ ସମନ ପଠାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ମୃତି।ଦ୍ୱିତୀୟ ବିବାହ ନେଇ ସ୍ୱାମୀ କରିଥିବା ଆବେଦନ, ମିର୍ଜାପୁର କୋର୍ଟଙ୍କ ସମନ ଏବଂ ପରବର୍ତ୍ତୀ କାର୍ଯାନୁଷ୍ଠାନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସ୍ମୃତି ।
ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ସମୟରେ ଦ୍ୱିତୀୟ ବିବାହର କୌଣସି ପ୍ରମାଣ ନଥିବା ଦର୍ଶାଇଛନ୍ତି। ଅଦାଲତ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୭କୁ ଉଲ୍ଲେଖ କରି କହିଛନ୍ତି। ଏହି ଧାରା ଅନୁସାରେ ଉଭୟ ପକ୍ଷର ପାରମ୍ପାରିକ ରୀତିନୀତି ତଥା ସମାରୋହ ଅନୁଯାୟୀ ଏକ ହିନ୍ଦୁ ବିବାହ ଉତ୍ସବ ସଂପନ୍ନ ହୋଇପାରେ। ଏହିପରି ରୀତିନୀତି ଏବଂ ସମାରୋହରେ ସପ୍ତପଦୀ ନିଆଯିବା ପରେ ବିବାହକୁ ସଂପୂର୍ଣ୍ଣ ଏବଂ ବାଧ୍ୟତାମୂଳକ ବୋଲି ଧରାଯାଏ ବୋଲି କୋର୍ଟ କହିଛନ୍ତି। ସ୍ମୃତିଙ୍କ ବିପକ୍ଷରେ ସ୍ୱାମୀ ଆଣିଥିବା ଅଭିଯୋଗର କିଛି ପ୍ରମାଣ ନଥିବାବେଳେ ମିର୍ଜାପୁର କୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ବନ୍ଦ କରି କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁ ରୀତିନୀତିରେ ବିବାହକୁ ନେଇ ଅନେକ ସମୟରେ ସମାଜରେ ତର୍କ-ବିତର୍କ ଦେଖାଦିଏ। ଏସବୁ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ କୋର୍ଟ କହିଛନ୍ତି, ହିନ୍ଦୁ ବିବାହ ଆଇନରେ ରୀତିନୀତିକୁ ଶ୍ରେଷ୍ଠତା ପ୍ରଦାନ କରାଯାଇଛି। ଆଉ ହିନ୍ଦୁ ରୀତି ଆଧାରରେ ଯେଉଁ ବିବାହ ବୈଧ ନୁହେଁ ତାକୁ ବିବାହ ବୋଲି ମାନି ନିଆଯିବ ନାହିଁ ବୋଲି କହିଛନ୍ତି। ବେଳେ ବେଳେ ଥାନାରେ ବିବାହ ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ମାଳ ପିନ୍ଧାଇ ବିବାହ ହୋଇଥିବା କୁହାଯାଉଛି । ଏହାକୁ ବିବାହ କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।