ଓଡ଼ିଶା ୩୬୫ (ବ୍ୟୁରୋ): ବିହାରର ଜାତିଭିତ୍ତିକ ଜନଗଣନା ତଥ୍ୟ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ଏହା ସହିତ କୋର୍ଟ ବିହାର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ଏବଂ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଏହାର ଜବାବ ଦେବାକୁ କହିଛନ୍ତି। ଜନଗଣନାକୁ ନିଜ ସ୍ତରରେ କରିବାକୁ ବିହାର ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା ଯେ ଜନଗଣନା ଉପରେ ସମସ୍ତ ପ୍ରକାର ନିଷ୍ପତ୍ତି ନେବାକୁ କେନ୍ଦ୍ରର ଅଧିକାର ରହିଛି ଏବଂ ରାଜ୍ୟ ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ।
ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ବିହାର ସରକାର ତଥ୍ୟ ସଂଗ୍ରହ କରିଛନ୍ତି। ତଥ୍ୟ ମଧ୍ୟ ପ୍ରକାଶ ପାଇଛି। ଏହି ମାମଲାରେ ହାଇକୋର୍ଟ ବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ମାମଲା ବିଚାରାଧୀନ ଅଛି ଏବଂ ଏହି ସମୟ ମଧ୍ୟରେ ସରକାର ତଥ୍ୟ ପ୍ରକାଶ କରିଛନ୍ତି। ବିହାର ଜାତି ଭିତ୍ତିକ ସର୍ଭେରେ ସଂଗୃହିତ ତଥ୍ୟର ଅପଲୋଡ୍ ରଖିବାକୁ ସୁପ୍ରିମକୋର୍ଟ ନିକଟରେ ମନା କରିଦେଇଥିଲେ।
ଆବେଦନକାରୀ କୋର୍ଟରେ ଦାବି କରିଛନ୍ତି ଯେ ବିହାରର ନୀତୀଶ ସରକାର ସେମାନଙ୍କ ଜାତି ବିଷୟରେ ପଚାରିବାରୁ ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରିଛନ୍ତି। ଲୋକଙ୍କୁ ଜାତି ପ୍ରକାଶ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ଏହି ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ଏହି ଯୁକ୍ତିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।