ଓଡ଼ିଶା 365 (ବ୍ୟୁରୋ) : ହସ ମୁଖ ଉଜ୍ୱଳତାର ପ୍ରମାଣ ଦେଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ମୁହଁର ହସ ଶରୀରକୁ ସୁସ୍ଥରଖିବାରେ ସାହାଯ୍ୟ କରିଥାଏ । ଯାହା ମାନସିକ ଚାପକୁ କ୍ଷଣିକ ମଧ୍ୟରେ ହାଲୁକା କରିଦିଏ । ତଥାପି କର୍ମମୟ ଜୀବନରେ ଅଣନିଃଶ୍ୱାସୀ ଦୌଡ଼ ଭିତରେ କେଉଁଠି ହଜିଯାଏ ଖୁସି । ହେଲେ ସବୁ ଟେନ୍ସନ୍କୁ ଗୋଟିଏ ପାଖରେ ଥୋଇଦେଇ ଖୁସିକୁ ଅନ୍ତରରୁ ଅନୁଭବ କରିବା ଲକ୍ଷ୍ୟରେ ମାର୍ଚ୍ଚ ୨୦କୁ ଓ୍ବାଲର୍ଡ ହେପିନେସ୍ ଡେ’ ଭାବେ ଘୋଷଣା କରାଯାଇଛି।ହୁଏତ ଗୋଟିଏ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ମାତ୍ର କେତୋଟି ସଂଖ୍ୟାରେ ଦର୍ଶାଯାଇପାରେ । ଏହା ରାଷ୍ଟ୍ର ବିକାଶର ମାପକାଠି ଭାବେ ପରିଗଣିତ ହୋଇପାରେ। ହେଲେ ଉନ୍ନତ ଜିଡିପି ଥିବା ସତ୍ତ୍ୱେ ଗୋଟିଏ ଦେଶର ନାଗରିକ ଯେ ସୁଖୀ, ତାହାର କିଛିମାନେ ନାହିଁ। ତେଣୁ ଜିଡିପି ସହିତ ଜୀବନରେ ଖୁସି ମୁହୂର୍ତ୍ତକୁ ସାମିଲ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘର ସାଧାରଣ ସଭାର ନିଷ୍ପତ୍ତି ଅନୁଯାୟୀ ୨୦୧୩ରେ ପୃଥିବୀର ୧୯୩ ରାଷ୍ଟ୍ର ମିଳିମିଶି ପାଳିଥିଲେ ପ୍ରଥମ ଓ୍ବାଲର୍ଡ ହେପିନେସ୍ ଡେ’।
ବିଶ୍ୱବ୍ୟାପୀ ମାନବୀୟ ମୂଲ୍ୟବୋଧର ବିକାଶ, ଯଥାସାଧ୍ୟ ଗରିବୀ ହଟାଇବା, ଅସମାନତା କମ୍ କରିବା, ପରିବେଶ ସୁରକ୍ଷାକୁ ଗୁରୁତ୍ୱଦେବା ଭଳି ବିଭିନ୍ନ ପ୍ରସଙ୍ଗକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ପୃଥିବୀର କୌଣସି ବିକଶିତ ରାଷ୍ଟ୍ର ନୁହେଁ, ବରଂ କ୍ଷୁଦ୍ର ଦେଶ ଭୁଟାନ ପ୍ରଥମେ ହାପିନେସ୍ ଡେ’ଭଳି ଏକ ଦିବସ ପାଳିବା ପାଇଁ ଆଗଭର ହୋଇଥିଲା। ଊନବିଂଶ ଶତାବ୍ଦୀର ସତୁରି ଦଶକରେ ଭାରତର ଏହି ପଡ଼ୋଶୀ ଦେଶ ଜାତୀୟ ରାଜସ୍ବ ପରିବର୍ତ୍ତେ ଜାତୀୟ ଖୁସିକୁ ବେଶି ଗୁରୁତ୍ୱ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ଫିନ୍ଲାଣ୍ଡରେ ଜନ୍ମ ହେବା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କୁହାଯାଏ ।