ଓଡ଼ିଶା 365 (ବ୍ୟୁରୋ): ବାଦଲଫଟା ବର୍ଷା ଫଳରେ ସିକ୍କିମରେ ସ୍ଥିତି ଏବେ ସଙ୍ଗୀନ । ଅନେକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଏବେ ବି ଅନେକ ଲୋକ ଫସି ରହିଛନ୍ତି । ଏହାରି ଭିତରେ ଏହି ବିନାଶର ଆକଳନ କରିବେ କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ ଦଳ ଗଠନ କରିଛି। ଆଜି ସିକ୍କିମରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଏବଂ ଟିସ୍ତା ନଦୀରେ ବନ୍ୟା ହେତୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି। ଗ୍ଲାସିଆଲ୍ ହ୍ରଦ ଆଉଟବର୍ଷ୍ଟ ବନ୍ୟା ହେତୁ ଟିସ୍ତା ନଦୀରେ ପ୍ରବାହ ବୃଦ୍ଧି ପାଇଲା ଯେଉଁଥିପାଇଁ ଅକ୍ଟୋବର ୪ ରେ ସିକ୍କିମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହ ମନ୍ତ୍ରଣାଳୟ ଆଜି ଏହି ସୂଚନା ଦେଇଛି।
ସମ୍ବାଦ ଏଜେନ୍ସି ଏଏନଆଇ ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ୨୦୨୩-୨୪ ବର୍ଷ ପାଇଁ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠି ର କେନ୍ଦ୍ରୀୟ ଅଂଶର କିସ୍ତିଗୁଡ଼ିକୁ ସିକ୍କିମକୁ ମୁକ୍ତ କରିବାକୁ ଅନୁମୋଦନ କରିଛନ୍ତି। ଏହି କିସ୍ତିଗୁଡ଼ିକ ପ୍ରାୟ ୪୪.୮୦ କୋଟି ଟଙ୍କା ଅଟେ । ସୂଚନା ପ୍ରଦାନ କରି ଗୃହ ମନ୍ତ୍ରଣାଳୟ କହିଛି ଯେ ଆନ୍ତ-ମନ୍ତ୍ରୀ କେନ୍ଦ୍ରୀୟ ଦଳ (ଆଇଏମସିଟି) ଖୁବ୍ ଶୀଘ୍ର ସିକ୍କିମର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ। ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଆଇଏମସିଟିର ମୂଲ୍ୟାଙ୍କନ ଉପରେ ଆଧାର କରି ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରୁ ସିକ୍କିମକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯିବ।