ଓଡ଼ିଶା 365 (ବ୍ୟୁରୋ): ଆଖିବୁଜିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ସଂପାଦକ ତଥା ନିର୍ଦେଶକ ଅଶୋକ ଶର୍ମା । ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅଶୋକ ଶର୍ମା ଜଣେ ପଞ୍ଜାବୀ। ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା କ୍ଷେତ୍ରରେ କାମ କରିବାକୁ ମୁମ୍ବାଇରୁ ଓଡ଼ିଶା ଆସିଥିଲେ। ପ୍ରାରମ୍ଭିକ ପର୍ୟ୍ୟାୟରେ ସେ ପ୍ରଶାନ୍ତ ନନ୍ଦଙ୍କ ସମେତ କେତେକ ନିର୍ଦେଶକଙ୍କ ସହକାରୀ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଜୟଦେବ ପୁରସ୍କାର ପ୍ରାପ୍ତ ଏଡିଟର୍ ରବି ପଟ୍ଟନାୟକଙ୍କ ସଂପାଦନା ସହକାରୀ ଭାବେ କାମ କରିଥିଲେ। ଓଲିଉଡର ଅଲରାଉଣ୍ଡର ଭାବେ ପରିଚିତ ଅରୁଣ ମହାନ୍ତି ଅଶୋକ ଶର୍ମାଙ୍କୁ ତାଙ୍କ ନିର୍ଦେଶିତ ‘ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର’ରେ ଏଡିଟର ଭାବେ ସୁଯୋଗ ଦେଇଥିଲେ। ଏହାପରେ ସେ ୮୦ରୁ ଅଧିକ ଓଡ଼ିଆ ଛବିରେ ଏଡିଟର ଭାବେ କାମ କରିଥିଲେ ।
ତାଙ୍କ ସଂପାଦିତ କେତେକ ପ୍ରମୁଖ ସିନେମା ହେଲା ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗି ଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ୍, ବାପା, ମା ଗୋଜବାୟାଣୀ, ମାତୃଶକ୍ତି, ମା ମଙ୍ଗଳା, ସତ ମିଛ, ତୁ ମୋ ଆଖିର ତାରା, ଭାଗ୍ୟଚକ୍ର, ତତେ ମୋ ରାଣ, ବାହୁଡ଼ିବେ ମୋ ଜଗାବଳିଆ, ସତ୍ୟମେବ ଜୟତେ, ସାତ ସୂରେ ବନ୍ଧା ମୋ ଜୀବନ ଏବଂ ମୋ କୋଳ ତୋ ଝୁଲଣା ଆଦି ଅନେକ ଚଳଚ୍ଚିତ୍ର କରି ଲୋକମାନଙ୍କ ହୃଦୟରେ ରାଜ କରନ୍ତି ଅଶୋକ ଶର୍ମା । ତାଙ୍କ ଦେହାନ୍ତରେ ସାରା ଓଡିଆ ଜଗତ ଦୁଃଖରେ ଭାଙ୍ଗିପଡିଛି ।