ଓଡ଼ିଶା 365 (ବ୍ୟୁରୋ) : ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲରେ ଭାରତ । ଶନିବାର ସ୍ୱର୍ଣ୍ଣପଦକ ପାଇଁ ମୈଦାନକୁ ଓହ୍ଲାଇବ ଋତୁରାଜ ବାହିନୀ। ସେମିରେ ବାଂଲାଦେଶକୁ ୯ଓ୍ୱିକେଟରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିବା ସହିତ ରୌପ୍ୟ ପଦକ ପକ୍କା କରିଛି ଭାରତୀୟ ପୁରୁଷ କ୍ରିକେଟ୍ ଦଳ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ୱିକେଟ୍ ହରାଇ ମାତ୍ର ୯୬ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଯାକର ଅଲ୍ଲି ସର୍ବାଧିକ ୨୪ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସାଇ କିଶୋର ସର୍ବାଧିକ ୩ଟି ଓ୍ୱିକେଟ୍ ନେଥିଲେ । ତେବେ ୯୭ ରନ୍ର ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଥିଲା ଭାରତ ।
ତିଲକ୍ ବର୍ମାଙ୍କ ସହିତ ଅଧିନାୟକ ରୁତୁରାଜ ମାତ୍ର ୯.୨ ଓଭରରେ ଭାରତକୁ ଭେଟିଦେଇଥିଲେ ବିଜୟ। ଗାଏକ୍ବାଡ୍ ୪୦ ଓ ତିଲକ୍ ବର୍ମା ୨୬ ବଲ୍ରୁ ଧୁଆଁଦାର ୫୫ ରନ୍ର ଦର୍ଶନୀୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲା । ଶନିବାର ଫାଇନାଲ ଲଢେଇ ହେବାକୁ ଥିବାବେଳେ ସ୍ୱର୍ଣ୍ଣ ଲାଗି ପ୍ରମୁଖ ଦାବିଦାର ରହିଛି ଭାରତ। ସେହିଭଳି ଭାରତୀୟ ମହିଳା ଟିମ୍ ମଧ୍ୟ ପ୍ରଥମ ଥର ଏସୀୟ କ୍ରୀଡ଼ାରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ହାତେଇ ଇତିହାସ ରଚିଥିବାବେଳେ ଭାରତର ପୁରୁଷ କ୍ରିକେଟ୍ ଦଳ ଉପରେ ରହିଛି ସଭିଙ୍କ ନଜର। ଚୀନରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ତ୍ରିରଙ୍ଗା ଉଡାଉ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ଭାରତ ଏଯାଏ ୮୭ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି ।