ଓଡ଼ିଶା 365 (ବ୍ୟୁରୋ): ଆଜି ଜନ୍ମମାଟିରେ ପହଞ୍ଚିବ ସିକିମ ବନ୍ୟାରେ ସହିଦ ହୋଇଥିବା ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର । ସରୋଜଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ପହଁଚିବ । ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ। ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯିବ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କହିରଖୁ କି, ମଙ୍ଗଳବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ଯୋଗୁଁ ସିକିମରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ସିଙ୍ଗତାମ ନିକଟରେ ଉଦ୍ଧାରକାର୍ଯ୍ୟ ବେଳେ ତିସ୍ତା ନଦୀ ନିକଟରେ ଥିବା ବହୁ ସେନା ଗାଡ଼ି ଭାସିଯାଇଥିଲା। ଗତକାଲି ଅପରାହ୍ନ ୨ଟା ବେଳେ ସରୋଜ ସହିଦ ହୋଇଥିବା କଥା ତାଙ୍କ ପରିବାରକୁ ସେନା ପକ୍ଷରୁ ଖବର ଦିଆଯାଇଥିଲା। ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ହାବିଲଦାର ଭାବେ ସିକିମରେ ଟ୍ରେନିଂରେ ଥିଲେ ସରୋଜ। କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ ସରୋଜ ଏବଂ ସାଥି ସେନା ଯବାନ। ଶେଷଥର ପାଇଁ ଗତ ମାସେ ତଳେ ରାକ୍ଷୀ ପୂର୍ଣ୍ଣିମାକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ସରୋଜ। ଭଉଣୀ ହାତରେ ରାକ୍ଷୀ ବାନ୍ଧି ସେପ୍ଟେମ୍ବର ମାସ ୪ତାରିଖ ଦିନ ଘରୁ ଫେରିଯାଇ ସିକିମରେ ସେନାରେ ଯୋଗ ଦେଇଥିଲେ। ସରୋଜ ୭ ମାସ ତଳେ ବିବାହ କରିଥିଲେ। ହେଲେ ସେ ସହିଦ ହୋଇଥିବା ଥିବା ଖବର ପାଇବା ପରେ ଘରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ।