ଓଡ଼ିଶା 365 (ବ୍ୟୁରୋ): ଇଡି କବଜାରେ ବଲିଉଡ୍ ତାରକା । ମହାଦେବ ଅନଲାଇନ ଗେମିଂ ଆପ୍ ମନିଲଣ୍ଡ୍ରିଂ ମାମଲାରେ ପ୍ରଥମେ ରଣବୀର କପୁରଙ୍କ ନାଁ ରହିଛି । ରଣବୀରଙ୍କ ବ୍ୟତୀତ ମହାଦେବ ଅନଲାଇନ୍ ଗେମିଂ ମାମଲାରେ ଅନ୍ୟ କେତେକ କଳାକାର ଏବଂ ଗାୟକଙ୍କ ନାମ ମଧ୍ୟ ରହିଛି । ସେପଟେ ରଣବୀର ଅନଲାଇନ୍ ଗେମିଂ ମାମଲାରେ ଏହି ନୋଟିସକୁ ଗ୍ରହଣ କରିଛନ୍ତି। ତାଙ୍କୁ ୬ ଅକ୍ଟୋବରରେ ଇଡି କାର୍ୟ୍ୟାଳୟରେ ହାଜର ହେବାକୁ ଏହି ସମନ ଜାରି କରାଯାଇଥିଲା । ଯାହାର ଜବାବ ଦେବା ପାଇଁ ଅଭିନେତା ଇଡିଙ୍କୁ ଇ-ମେଲ କରିଛନ୍ତି। ରଣବୀର କପୁର ଗେମିଂ ଆପ ମନିଲଣ୍ଡ୍ରିଂ ମାମଲାରେ ଇଡିଙ୍କୁ କିଛି ସମୟ ମାଗିଛନ୍ତି। ଇଡି ରଣବୀର କପୁରଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ କାର୍ଯ୍ୟାଳୟକୁ ଭେଟିବାକୁ ଡାକିଥିଲେ। ତେବେ ମେଲ କରି ଅଭିନେତା ତାଙ୍କୁ ୨ ସପ୍ତାହ ସମୟ ଦେବାକୁ ନିବେଦନ କରିଛନ୍ତି। ଏଥି ନିମନ୍ତେ ଅଭିନେତା ତାଙ୍କ ବ୍ୟକ୍ତିଗତ, ପାରିବାରିକ କାରଣ ଓ ପୂର୍ବରୁ କରିଥିବା କମିଟମେଣ୍ଟର କଥା ଦର୍ଶାଇଛନ୍ତି ।
ଖବର ମୁତାବକ, ମହାଦେବ ବୁକ୍ ଆପ୍ ହେଉଛି ଏକ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ଆପ୍, ଯାହା ବର୍ତ୍ତମାନ ଇଡି ଏବଂ ବିଭିନ୍ନ ରାଜ୍ୟର ପୋଲିସ କବଜାରେ ରହିଛି। ଏହି କମ୍ପାନି ଦୁବାଇରୁ ପରିଚାଳିତ ହେଉଥିଲା। ବେଆଇନ ବେଟିଂ ଓ୍ବେବସାଇଟରେ ୟୁଜର୍ସଙ୍କ ନାମ ପଞ୍ଜିକରଣ କରି ବେନାମୀ ବ୍ୟାଙ୍କ ଖାତା ଖୋଲି କୋଟି କୋଟି ଟଙ୍କା ହେରାଫେରୀ ସିଣ୍ଡିକେ଼ଟ୍ ଖୋଲିଥିଲା ବେଟିଂ ଆପ୍ ମାଲିକ । ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଉପରେ ରେଡ୍ ମାରିଥିଲା ଇଡି ।
ତେବେ ଏହି ଆପ୍ର ସତ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୨୩ ଫେବ୍ରୁଆରୀରେ ଆପର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ବିଳାସପୂର୍ଣ୍ଣ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ବିବାହରେ ପ୍ରାୟ ୨୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଆଉ ଏହି ବିବାହରେ ବଲିଉଡର ଅନେକ ନାମୀ କଳାକାର ମଧ୍ୟ ଯୋଗଦେଇଥିଲା। ଯେଉଁମାନଙ୍କ ଉପରେ ଏବେ ଇଡିର ନଜର ରହିଛି ।