ଓଡ଼ିଶା 365 (ବ୍ୟୁରୋ): ଅଡୁଆରେ ବଲିଉଡ ତାରକା । ମହାଦେବ ବୁକ୍ ଆପ ମାମଲାରେ ଦିନକୁ ଦିନ ବଢ଼ୁଛି ବଲିଉଡ୍ ତାରକାଙ୍କ ଲିଷ୍ଟ୍ । ରଣବୀର କପୁରଙ୍କ ସମନ ନୋଟିସ୍ ପରେ ଏବେ ଆଉ କିଛି ତାରକାଙ୍କ ନାମ ସାମ୍ନାକୁ ଆସିଛି। ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଏହି ମାମଲାରେ କମେଡିଆନ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେଶୀ ଏବଂ ହିନା ଖାନ୍ଙ୍କ ନାମ ରହିଛି।
ସୂଚନା ଅନୁଯାୟୀ, ବୁଧବାର ଦିନ ଇଡି ମହାଦେବ ବୁକ ଆପ ମାମଲାରେ ଅଭିନେତା ରଣବୀର କପୁରଙ୍କୁ ସମନ ନୋଟିସ୍ ଜାରି କରିଥିଲା । ରଣବୀରଙ୍କୁ ଶୁକ୍ରବାର ଇଡିରେ ହାଜର ହେବାକୁ ମଧ୍ୟ କୁହାଯାଇଛି। ହେଲେ ରଣବୀର କିଛି ନିର୍ଦ୍ଧିଷ୍ଟ କାରଣ ଦର୍ଶାଇ ୨ ସପ୍ତାହ ସମୟ ମାଗିଛନ୍ତି। ନିକଟରେ ଇଡି ମୁମ୍ବାଇ ଏବଂ ଦିଲ୍ଲୀରେ କିଛି ସେଲିବ୍ରିଟି ମାନଙ୍କର ମ୍ୟାନେଜରଙ୍କ ଘରେ ମଧ୍ୟ ରେଡ୍ କରିଥିଲା। ଏହି ରେଡ୍ରୁ ପ୍ରାୟ ୨.୫ କୋଟିର ନଗଦ ମଧ୍ୟ ଜବତ କରିଥିଲା ।
ଖବର ମୁତାବକ, ମହାଦେବ ବୁକ୍ ଆପ୍ ହେଉଛି ଏକ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ଆପ୍, ଯାହା ବର୍ତ୍ତମାନ ଇଡି ଏବଂ ବିଭିନ୍ନ ରାଜ୍ୟର ପୋଲିସ କବଜାରେ ରହିଛି। ଏହି କମ୍ପାନି ଦୁବାଇରୁ ପରିଚାଳିତ ହେଉଥିଲା। ବେଆଇନ ବେଟିଂ ଓ୍ବେବସାଇଟରେ ୟୁଜର୍ସଙ୍କ ନାମ ପଞ୍ଜିକରଣ କରି ବେନାମୀ ବ୍ୟାଙ୍କ ଖାତା ଖୋଲି କୋଟି କୋଟି ଟଙ୍କା ହେରାଫେରୀ ସିଣ୍ଡିକେ଼ଟ୍ ଖୋଲିଥିଲା ବେଟିଂ ଆପ୍ ମାଲିକ । ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଉପରେ ରେଡ୍ ମାରିଥିଲା ଇଡି ।
ତେବେ ଏହି ଆପ୍ର ସତ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୨୩ ଫେବ୍ରୁଆରୀରେ ଆପର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ବିଳାସପୂର୍ଣ୍ଣ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ବିବାହରେ ପ୍ରାୟ ୨୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଆଉ ଏହି ବିବାହରେ ବଲିଉଡର ଅନେକ ନାମୀ କଳାକାର ମଧ୍ୟ ଯୋଗଦେଇଥିଲା। ଯେଉଁମାନଙ୍କ ଉପରେ ଏବେ ଇଡିର ନଜର ରହିଛି ।