ଓଡ଼ିଶା 365 (ବ୍ୟୁରୋ): ସାମ୍ନାକୁ ଆସିଲା କ୍ୟାପିଟାଲ୍ ହସ୍ପିଟାଲ୍ରେ ଶିଶୁ ବଦଳ ଅଭିଯୋଗ ଘଟଣାର ସତ। ପୁଅ ନୁହେଁ ଝିଅ ହୋଇଥିବା ଡିଏନଏ ରିପୋର୍ଟରୁ ହୋଇଛି ସ୍ପଷ୍ଟ। ଅଭିଯୋଗକାରୀ ଯୁବକଙ୍କ ଝିଅ ହୋଇଥିବା ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଗୁରୁବାର ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ। ତାଙ୍କର ପୁଅ ହୋଇଥିବା ଅଭିଯୋଗକାରୀ ଯୁବକ ଦାବି କରିଥିଲେ । ମେଡିକାଲ୍ରେ ଶିଶୁ ବଦଳ ହୋଇଥିବା ନେଇ ଥାନାରେ ଅଭିଯୋଗମଧ୍ୟ କରିଥିଲେ। ଫଳରେ ଡିଏନଏ ଟେଷ୍ଟ କରାଯାଇଥିଲା।
ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ଗତ ସପ୍ତାହରୁ ପୁଅ ଓ ଝିଅ ଅଦଳବଦଳ ନେଇ ବିବାଦ ଘନେଇବାରେ ଲାଗିଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ DNA ଟେଷ୍ଟ କରାଯାଇଥିଲା। କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ବି କୋର୍ଟରେ ଆବେଦନ କରାଯାଇଥିଲା। ଅଭିଯୋଗକାରୀ ପ୍ରାଣକୃଷ ବିଶ୍ୱାଳଙ୍କ ଅଭିଯୋଗ ପରେ ତାଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲକୁ ସଂଗ୍ରହ କରାଯାଇଥିଲା। ଆଉ ଏବେ ରିପୋର୍ଟ ଆସିବା ପରେ ପୁରା ସତ୍ୟ ପଦାକୁ ଆସିଛି। ସେପଟେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଡାକ୍ତରୀ ଟିମ। ସୂଚନାଯୋଗ୍ୟ, ଝିଅ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ମାନିବାକୁ ନାରାଜ ଥିଲେ। ଘଟଣାରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରିଥିଲେ। କାର୍ଯ୍ୟରେ ଅବହେଳା ଦର୍ଶାଇ କ୍ୟାପିଟାଲ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଥିଲେ ହସ୍ପିଟାଲ ନିର୍ଦ୍ଦେଶକ ।