ଓଡ଼ିଶା 365 (ବ୍ୟୁରୋ): ଆଉ ମାତ୍ର ୨ଟା ମାସ ପରେ ସରୁଛି ଡିଜିପି ସୁନୀଲ କୁମାର ବଂଶଲଙ୍କ କାର୍ଯ୍ୟକାଳ। ଡିସେମ୍ବର ୩୧ରେ ଶେଷ ହେଉଛି ଶ୍ରାୀ ବଂଶଲଙ୍କ କାର୍ଯ୍ୟକାଳ। ତେବେ ତାଙ୍କ ପରେ କାହାକୁ ମିଳିବ ଏହି ପଦବୀ ତାକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା। ତେବେ ଡିଜିପି ପଦ ପାଇଁ ରେସରେ ୧୯୮୮ ବ୍ୟାଚର ମନୋଜ ଛାବ୍ରା ଓ ଅରୁଣ ରାୟଙ୍କ ପରେ ବରିଷ୍ଠତା ତାଲିକାରେ ୧୯୮୯ ବ୍ୟାଚର ଅଧିକାରୀ ବି ରାଧିକା ଓ ଏ ଏମ୍ ପ୍ରସାଦ, ୧୯୯୦ ବ୍ୟାଚର ଓ୍ୱାଇ ବି ଖୁରାନିଆ ରେସରେ ଥିବାବେଳେ ବି ରାଧିକାଙ୍କ ନାଁ ଏହି ପଦବା ପାଇଁ ବେଶି ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଏବେ ମହିଳା ମାନଙ୍କୁ ଅଗ୍ରାଧିକାର ଦେଉଥିବା କଥା କହୁଥିବା ବେଳେ ପୂର୍ବରୁ ମଧ୍ୟ ଏହାର ମଜିର ରହିଛି।
ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଜଣେ ମହିଳାଙ୍କୁ ଚୟନ କରିବା ହେଉ କି ରାଜ୍ୟସଭା ଅଧ୍ୟକ୍ଷ ସଦସ୍ୟାଭାବେ ମହିଳାଙ୍କୁ ଗୁରୁତ୍ୱ ଦେବା କଥା ହେଉ କି ମହିଳା ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ପ୍ରତିଷ୍ଠା କରିବା କଥାହେଉ ମୁଖ୍ୟମନ୍ତ୍ରା ଡିଜିପି ପଦ ପାଇଁ ଜଣେ ମହିଳାଙ୍କୁ ବାଛି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା ଯଦି ସତ ହୁଏ ତେବେ ବି ରାଧିକା ହେବେ ଓଡ଼ିଶାର ପରବର୍ତ୍ତୀ ଓ ପ୍ରଥମ ମହିଳା ଡିଜିପି।
ବିଧି ତାବକ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ତାଲିକାଭୁକ୍ତ ୩ ଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାର ଡିଜିପିଙ୍କୁ ଚୟନ କରିବେ। ରେକର୍ଡ଼, ଏବଂ ପୋଲିସ ଫୋର୍ସର ନେତୃତ୍ୱ ନେବା ପାଇଁ ଅଭିଜ୍ଞତାର ସୀମା, ଏହାବ୍ୟତୀତ ଅବସର ପୂର୍ବରୁ ସର୍ବନିମ୍ନ ଛଅ ମାସର ଚାକିରି ବାକି ଥିବା ଅଧିକାରୀ ଏହି ପଦବୀରେ ଚୟନ ପାଇଁ ୟୁପିଏସସି ଦ୍ୱାରା ତାଲିକାଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ। ରାଧିକା ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ତାଙ୍କୁ ଏସଏସବି ନୂଆଦିଲ୍ଲୀର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେ ମଧ୍ୟ ଓଡ଼ିଶା କ୍ୟାଡରର ପ୍ରଥମ ମହିଳା ଆଇପିଏସ୍ ଅଫିସର।