ଓଡ଼ିଶା 365 (ବ୍ୟୁରୋ): ବହୁଚର୍ଚ୍ଚିତ ବର୍ଷା ଅନୁଭବ ବିବାଦ ମାମଲା। ଅନୁଭବଙ୍କ ନାଁରେ ଦାୟର ହୋଇଛି ଘରୋଇ ହିଂସା ମାମଲା । ସୂଚନା ଅନୁଯାୟୀ, କିଛି ଦିନ ତଳେ କୋର୍ଟରେ ଉଭୟ ବର୍ଷା-ଅନୁଭବ ହାଜର ହୋଇଥିଲେ । ଗତ ମାସ ୨୫ ତାରିଖରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକରା ହୋଇଥିଲା । ଉଭୟ ହାଜର ବି ହୋଇଥିଲେ । ପାରିବାରିକ ହିଂସାର ଶୀକାର ହୋଇଥିବା ଅଭିଯୋଗ ଆଣି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ଏକ ମୋକଦ୍ଦମା ଦାୟର କରିଛନ୍ତି । ତେବେ ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉଁସେଲିଂ କରାଯାଇଛି । କିନ୍ତୁ ତାର ନିର୍ୟ୍ୟାସ କଣ ବାହାରିଲା ତାହା ଏପର୍ଯ୍ୟନ୍ତ ଜଣାପଡିନି ।
ସେପଟେ ଏହି ବିବାଦ ମାମାଲାରେ କୌଣସି ଫଇସଲା ହୋଇପାରୁନଥିବାବେଳେ ସୋସିଆଲ ମିଡିଆରେ ଅନୁଭବଙ୍କ ଭାବପ୍ରବଣ ଟ୍ୟୁଇଟ୍ ଭାଇରାଲ୍ ହେବାରେ ଲାଗିଛି । ଯାହା ଏହି ମାମଲାରେ ଆଉ ଏକ ନୂଆ ମୋଡ ଆଣିଛି । ଅନୁଭବଙ୍କ ଏହି ପୋଷ୍ଟ ନେଇ ବହୁତ କିଛି ସ୍ପଷ୍ଟ ହୋଇଛି । ଖବର ମୁତାବକ, ବର୍ଷାଙ୍କ ପାରିବାରିକ ବିବାଦ ଭିତରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ବିବାହ ପରେ ବିଦାୟ ବେଳର ଫଟୋକୁ ପୋଷ୍ଟ କରି ସେ ଅନେକ କିଛି ଲେଖିଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ସେ ତାଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି । ଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ଭଲ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।
ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ମୁଁ କେବେ ଚାହିଁ ନଥିଲି । ବିଚ୍ଛେଦ ତ ନିଶ୍ଚିତ ହେବ, ହେଲେ ସମ୍ମାନର ସହ ହେବ ବୋଲି ସେ ପୋଷ୍ଟ କରିଛନ୍ତି । ହେଲେ ଏ ପୋଷ୍ଟକୁ ନେଇ ଏପର୍ଯ୍ୟନ୍ତ ବର୍ଷା ପ୍ରିୟଦର୍ଶିନୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।