ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭାକ୍ସିନ ଓ୍ବାର’ । ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ମୋଦି ଭୁରୀ ଭୁରୀ ପ୍ରଶଂସା କରିଛନ୍ତି । ସେପ୍ଟେମ୍ବର ୩୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଦର୍ଶକମାନଙ୍କ ମନ ଜିଣୁଛି । ଆଉ ଏହାରି ଭିତରେ ମୋଦିଙ୍କ ପ୍ରଶଂସା ଚାରିଆଡେ ଚହଳ ସୃଷ୍ଟି କରିଛି । ଖବର ମୁତାବକ, ରାଜସ୍ଥାନ ଯୋଧପୁରରରେ ଏକ ରାଲି ସମୟରେ ପିଏମ ମୋଦୀ ‘ଦ ଭାକ୍ସିନ ଓ୍ବାର’ ଫିଲ୍ମକୁ ପ୍ରଶଂସା କରିଛନ୍ତି । ସମ୍ବୋଧନ ସମୟରେ ପିଏମ୍ ମୋଦୀ କହିଛନ୍ତି ଯେ, ‘‘ମୁଁ ଶୁଣିଛି ଏଭଳି ଏକ ଫିଲ୍ମ ଆସିଛି ‘ଦ ଭାକ୍ସିନ ଓ୍ବାର’। ଏଥିରେ ଆମ ଦେଶର ବୈଜ୍ଞାନିକ କିଭଳି କୋଭିଡ ମହାମାରୀ ସମୟରେ ଦିନ ରାତି ପରିଶ୍ରମ କରିଥିଲେ ତାହାକୁ ବର୍ଣ୍ଣନା କରାଯାଇଛି । ନିଜ ଲାବ୍ରେ ସେମାନେ କିଭଳି ଜଣେ ଋଷି ଭଳି ସାଧନା କରିଥିଲେ ତାହା ମଧ୍ୟ ରହିଛି । ଆମର ମହିଳା ବୈଜ୍ଞାନିକମାନେ ମଧ୍ୟ ଅଦ୍ଭୁତ କାମ କରିଛନ୍ତି। ସେସବୁ ‘ଦ ଭାକ୍ସିନ ଓ୍ବାର’ରେ ଦର୍ଶାଯାଇଛି । ସେହି ଫିଲ୍ମକୁ ଦେଖିବା ପରେ ଗର୍ବ ଅନୁଭବ ହେଉଛି ଯେ, ଆମ ବୈଜ୍ଞାନିକ ଏଭଳି କାମ କରିଛନ୍ତି।’’
ସୂଚନା ଅନୁଯାୟୀ, ‘ଦ ଭାକ୍ସିନ ଓ୍ବାର’ ଫିଲ୍ମ ସେପ୍ଟେମ୍ବର ୨୮ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ କୋଭିଡ-୧୯ ମହାମାରୀ ଆସିବା ପରେ କୋଭାକ୍ସିନ ବିକଶିତ କରୁଥିବା ଭାରତୀୟ ବୈଜ୍ଞାନିକଙ୍କ ସାମ୍ନାରେ ଆସିଥିବା ଚାଲେଞ୍ଜକୁ ଦେଖାଯାଇଛି। ଏହି ଫିଲ୍ମ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ସଂଘର୍ଷ ଉପରେ ଆଧାରିତ। ଯାହା ସମସ୍ତ ଭାରତୀୟଙ୍କ ମନକୁ ଛୁଇଁଛି । ଏବଂ ସେଦିନର କଷ୍ଟ ସବୁକୁ ପୁଣିଥରେ ମନେ ପକାଇ ଦେଉଛି । ଏବଂ ଏଭଳି ଫିଲ୍ମକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନେକ ପ୍ରଶଂସା କରିଛନ୍ତି ।