ଓଡ଼ିଶା 365 (ବ୍ୟୁରୋ): ଓଲିଉଡ ଷ୍ଟାର ଦମ୍ପତ୍ତି ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ଭିତରେ ସୋସିଆଲ ମିଡିଆରେ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ବିବାହ ପରେ ବିଦାୟ ବେଳର ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ନିଜ ମନର ବେଦନାରୁ କିଛି । ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ବର୍ଷା I loved You । ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଉଥିଲି। ଯେକୌଣସି ବି କାରଣ ପାଇଁ ଆମ ବିବାହ ବିଫଳ ହେଉ ନା କାହିଁକି, ଛାଡ଼ପତ୍ର ପରେ କଣ ଆମେ ଭଲ ବନ୍ଧୁ ହୋଇପାରିବାନି ? ଏଭଳି ତିକ୍ତତା ଭିତରେ ମୁଁ ତୁମଠୁ ଅଲଗା ହେବାକୁ ଚାହୁଁ ନାହିଁ… ବିଚ୍ଛେଦ ତ ସୁନିଶ୍ଚିତ। ତାହେଲେ ସମ୍ମାନଜନକ ଭାବେ କାହିଁକି ନୁହେଁ ? ସୋସିଆଲ ମିଡିଆରେ ଅନୁଭବଙ୍କ ଏଭଳି ପୋଷ୍ଟ ପରେ ଚର୍ଚ୍ଚା ବଢିଛି।
https://x.com/AnubhavMohanty_/status/1710104555491602722?s=20
ସୂଚନା ଅନୁଯାୟୀ, ବିବାହ ବିଚ୍ଛେଦ ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିଲେ । ଫଳରେ ଲମ୍ବା ଅଦାଲତି ଲଢେଇ ସତ୍ତେ୍ୱ ଅନୁଭବ ନିରାଶ ହୋଇଥିଲେ । ଅପରପକ୍ଷେ ଅନୁଭବଙ୍କ ସହ ପୁଣି ଏକାଠି ରହିବା ପାଇଁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ବି ଅଦାଲତ ଅଗ୍ରାହ୍ୟ କରିଦେଇଥିଲେ । ଏହା ଦ୍ୱାରା ବର୍ଷାଙ୍କୁ ମଧ୍ୟ ଅଦାଲତରୁ ଝଟ୍କା ଲାଗିଥିଲା। ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ବିଚ୍ଛେଦ ପାଇଁ ଉଦ୍ୟମ କଲେ ଆଇନ ଏଥିପାଇଁ ଅନୁମତି ଦେବ ନାହିଁ ବୋଲି ମାମଲାର ରାୟ ପ୍ରକାଶ କରି କହିଥିଲେ ପରିବାର ଅଦାଲତ ।