ଓଡ଼ିଶା 365 (ବ୍ୟୁରୋ): ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରି ଜସୱନ୍ତ ସିଂ ଚେଲ ନାମକ ଜଣେ ଶିଖ ଯୁବକଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜସୱନ୍ତ ସିଂଙ୍କ ବୟସ ୨୧ ବର୍ଷ ବୋଲି ଦର୍ଶାଯାଇଛି। ଜସୱନ୍ତ ସିଂ ଚେଲଙ୍କ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ଏହି ଦଣ୍ଡ ଦେଇଛନ୍ତି। ଲଣ୍ଡନର ଓଲ୍ଡ ବେଲି କୋର୍ଟରେ ଶୁଣାଣି ବେଳେ ଜଜ୍ ନିକୋଲାସ୍ ହିଲିଆର୍ଡ କହିଛନ୍ତି ଯେ ଚେଲ୍ ସୁସ୍ଥ ନହେବା ପର୍ୟ୍ୟନ୍ତ ବରେକଶାୟାରର ଏକ ଉଚ୍ଚ ସୁରକ୍ଷା ମାନସିକ ଡାକ୍ତରଖାନା ବ୍ରଡମୋର୍ ହସ୍ପିଟାଲରେ ରଖିବା ଉଚିତ୍। ଏହା ପରେ ତାଙ୍କୁ ଜେଲରେ ରଖାଯିବ।
ଡିସେମ୍ବର ୨୫, ୨୦୨୧ ଦିନ, ରାଣୀ ଏଲିଜାବେଥ ୱିଣ୍ଡସର ଦୁର୍ଗରେ ଥିବା ତାଙ୍କ ବ୍ୟକ୍ତିଗତ ଆପାର୍ଟମେଣ୍ଟରେ ଥିବା ସମୟରେ ପୋଲିସ କର୍ମଚାରୀମାନେ ଦେଖିଲେ ଯେ ଜଣେ ଯୁବକ ଧନୁ ଓ ତୀର ଧରି ଠିଆ ହୋଇଛି। ସେ ଅଧିକାରୀମାନଙ୍କୁ କହିଥିଲେ ଯେ ସେ ରାଣୀଙ୍କୁ ହତ୍ୟା କରିବାକୁ ଆସିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ‘ଷ୍ଟାର୍ ୱାର୍ସ’ ସିରିଜ୍ ଦ୍ୱାରା ଅନୁପ୍ରାଣିତ ହେବା ପରେ ଜସୱନ୍ତ ସିଂ ଚେଲ୍ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ସୋସିଆଲ ମିଡିଆରେ ଏକ ଭିଡିଓରେ ଜସୱନ୍ତ ସିଂ ଚେଲ କହିଛନ୍ତି ଯେ ପଞ୍ଜାବର ଅମୃତସରରେ ୧୯୧୯ ମସିହାରେ ହୋଇଥିବା ଜଲିଆନୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସେ ଏହା କରିଛନ୍ତି। ଦଣ୍ଡବିଧାନ ଆଦେଶ ପଛରେ ଥିବା କାରଣକୁ ବ୍ୟାଖ୍ୟା କରି ବିଚାରପତି କହିଛନ୍ତି ଯେ ଏହି କାର୍ୟ୍ୟ ୨୦୨୧ ମସିହାରେ ହୋଇଥିଲା ଯେତେବେଳେ ସେ (ଯଶୱନ୍ତ ସିଂ ଚେଲ) ମାନସିକ ସ୍ତରରେ ଫିଟ୍ ଥିଲେ।
ଜଜ୍ କହିଛନ୍ତି ଯେ ଜସୱନ୍ତ ସିଂ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି, ଏଥିପାଇଁ ତାଙ୍କୁ ଦଣ୍ଡ ଦେବା ଆବଶ୍ୟକ। ଶୁଣାଣି ସମୟରେ କୋର୍ଟଙ୍କୁ କୁହାଯାଇଥିଲା ଯେ ଜସୱନ୍ତ ସିଂ ଚେଲ ତାଙ୍କ ପରିବାର ସହିତ ୨୦୧୮ ରେ ଅମୃତସର ଯାଇଥିଲେ ଏବଂ ସେଠାରେ ସେ ଜଲିଆନୱାଲା ବାଗ ହତ୍ୟାକାଣ୍ଡ ବିଷୟରେ ଜାଣିଥିଲେ। ସେତେବେଳେ ସେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଚିନ୍ତା କରିଥିଲେ।