ଓଡ଼ିଶା 365 (ବ୍ୟୁରୋ): ରାସ୍ତା ଉପରେ ବାଣ ଶୁଖା ଯାଇଥିବା ବେଳେ ବାଣ ଉପରେ ଚଢ଼ିଗଲା କାର୍। ଫଳରେ ବିସ୍ଫୋରଣ ଘଟି କାର୍ଟି ଭାଙ୍ଗିଯାଇଥିବା ବେଳେ ଡ୍ରାଇଭର ଡାକ୍ତରଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଅଘଟଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନ ଅନ୍ତର୍ଗତ ଭରତପୁର ପଞ୍ଚାୟତ ଖଣ୍ଡିଆବନ୍ଧ ଗାଁରେ। ଗୁରୁତର ଆହତ ହୋଇଥିବା ଡାକ୍ତର ଜଣକ ହେଲେ ୨୮ ବର୍ଷୀୟ ସୁଜିତ ସାମଲ।
ସୁଜିତ କିଛି ବର୍ଷ ହେବ କେନ୍ଦ୍ରାପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ଗତ କିଛି ଦିନ ହେବ କଟକରେ ଟ୍ରେନିଂ ପଡ଼ିଥିବାରୁ ସେ ନିଜ କାର୍ରେ ଯିବା ଆସିବା କରୁଥିଲେ। ଆଜି ପୂର୍ବାହ୍ନ ୧୦ଟାରେ ଡାକ୍ତର ସାମଲ ନିଜ କାର୍ରେ କଟକ ଅଭିମୁଖେ ଯାଉଥିଲେ। ଖଣ୍ଡିଆବନ୍ଧ ଗାଁ ରାସ୍ତା ଅତିକ୍ରମ କରୁଥିବା ବେଳେ ରାସ୍ତା ଉପରେ ବାଣ ଶୁଖା ଯାଇଥିଲା। ଅଜାଣତରେ ବାଣ ଉପରେ ତାଙ୍କ କାର ଚଢ଼ିଯିବାରୁ ଜୋରରେ ବିସ୍ପୋରଣ ଘଟିଥିଲା। ଏହି ବିସ୍ପୋରଣରେ ଡାକ୍ତର ସାମଲଙ୍କ ଗାଡ଼ିର ଆଗ ପାର୍ଶ୍ୱ ନଷ୍ଟ ହୋଇଯାଇଛି। ଡାକ୍ତର ସାମଲଙ୍କ ମୁଣ୍ଡ, ହାତ, ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ କଟକ ରେଫର କରାଯାଇଛି।