ଓଡ଼ିଶା 365 (ବ୍ୟୁରୋ): କଟକ କୋର୍ଟରେ ବିବାହ ପାଇଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କର ପୂର୍ବ ପ୍ରେମିକା ସୋମାଲିକା ଦାସ। ବିଜୟଶଙ୍କରଙ୍କ ବିବାହ କଥା ଶୁଣି ସୋମାଲିକା କହିଛନ୍ତି, ‘ବିଜୟଙ୍କୁ ମୁଁ ଛାଡ଼ିବିନି । କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବି। ମୋର କଣ କିଛି ଇଜ୍ଜତ ନାହିଁ। ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ? ସେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ ?’ ଏମିତି କହି ବିଜୟଶଙ୍କରଙ୍କ ଉପରେ ବର୍ଷିଛନ୍ତି ସୋମାଲିକା । ସେ ଆହୁରି କହିଛନ୍ତି, ‘ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି । ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି । ଜଗତସିଂହପୁର ପୋଲିସ ମୋର ବୟାନ ରେକର୍ଡ କରି ସାରିଛି। ବାରମ୍ବାର ଡାକି ମୋତେ ପଚାରୁଛି ପୋଲିସ, କିନ୍ତୁ ଥରେ ବି ବିଜୟଙ୍କୁ ଡାକି ଜେରା କରିନି। ଦଳ ପାଇଁ ଏଭଳି ସପୋର୍ଟ ମିଳୁଛି । ସେପଟେ ମିଡିଆ ସୂଚନା ଅନୁଯାୟୀ, ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ ଶଙ୍କର ।
କୁହାଯାଉଛି, ପ୍ରତ୍ୟୁଷା ଏବଂ ବିଜୟ ସହପାଠୀ । ଉଭୟେ ବିବାହ କରିବା ପାଇଁ ଗତ ୨୧ ତାରିଖ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଆବେଦନର ଏକ ମାସ ପରେ ଅର୍ଥାତ ନୋଟିସ ଅବଧି ଶେଷ ହେବା ପରେ ଉଭୟେ ବିବାହ କରିପାରିବେ । ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରତ୍ୟୁଷାଙ୍କ ଘର କଟକରେ । ତେଣୁ ଉଭୟ କଟକ ସବରେଜିଷ୍ଟ୍ରାରଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ତେବେ ପ୍ରତ୍ୟୁଷାଙ୍କ ସହ ବିଧାୟକ ଶ୍ରୀ ଦାସ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି । ପ୍ରତ୍ୟୁଷା ପୂର୍ବରୁ ବିବାହିତା । ତାଙ୍କର ପ୍ରଥମ ବିବାହ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ହୋଇଥିଲା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି । ପ୍ରତ୍ୟୁଷାଙ୍କ ସ୍ୱାମୀ ରାଜ୍ୟ ବାହାରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ଉଭୟଙ୍କ ଛାଡ଼ପତ୍ର ହୋଇସଲାରିଛି।
ସୂଚନାଥାଉ କି, ବାନ୍ଧବୀ ସୋମାଲିକାଙ୍କ ସହ ସମ୍ପର୍କକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚାରେ ଥିଲେ ବିଧାୟକ ବିଜୟଶଙ୍କର । ପରେ ବିଜୟ ତାଙ୍କୁ ପ୍ରତାରଣା କରିଥିବା ନେଇ ଅଭିଯୋଗ ଆଣିଥିଲେ ବାନ୍ଧବୀ ସୋମାଲିକା । ଏହା ପରେ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିଲେ ବିଜୟ । ଏ ନେଇ ସୋମାଲିକା ଥାନାରେ ଏତଲା ବି ଦେଇଥିଲେ ।