ଓଡ଼ିଶା 365 (ବ୍ୟୁରୋ): ସିକ୍କିମ ବନ୍ୟାରେ ଭାସିଯାଇ ନିଖୋଜ ଥିବା ଓଡିଆ ଯବାନ ହାବିଲଦାର ସରୋଜ କୁମାର ଦାସ ସହିଦ ହୋଇଯାଇଛନ୍ତି। ସରୋଜ ସହିଦ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସରୋଜଙ୍କ ପରିବାର ଲୋକ ମୃତଦେହ ଚିହ୍ନଟ ପରେ ଏନେଇ ସୂଚନା ଦେଇଛନ୍ତି । ଏହି ଖବର ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ସରୋଜଙ୍କ ସହିଦ ହେବା ଖବର ଶୁଣି ପୁରା ଗାଁ ଦୁଃଖରେ ଭାଙ୍ଗିପଡ଼ିଛି । ଲିଭିଗଲା ନବବିବାହିତା ପତ୍ନୀଙ୍କ ମଥାର ସିନ୍ଦୁର । ଖାଲି ଖୋଲିହୋଇଯାଇଛି ଗୋଟେ ମାର କୋଳ । ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନାହାନ୍ତି ବାପା ।
ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ହାବିଲଦାର ସରୋଜ କୁମାର ଦାସ ୨୦୧୨ରୁ ସେନାରେ EME ଯବାନ ଭାବେ ନିଯୁକ୍ତି ପାଇଥିଲେ । ଗତ ସାତ ମାସ ହେବ ବିବାହ କରିଥିଲେ ସରୋଜ । ଶେଷଥର ଅଗଷ୍ଟ ମାସରେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଶେଷ ଥର କଥା ହୋଇଥିଲେ । ସିକ୍କିମ ବନ୍ୟାରେ ହାବିଲଦାର ସରୋଜ ଦାସ ନିଖୋଜ ହୋଇଯାଇଥିଲେ । ଗତକାଲି ଦିନ ୧୧ ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ବନ୍ୟାରେ ନିଖୋଜ ଖବର ଦେଖି ମୋବାଇଲକୁ ଫୋନ କରିଥିଲେ । ମୋବାଇଲ ଫୋନ୍ ବନ୍ଦ ଥିବାରୁ ୟୁନିଟ ସହ କଥା ହୋଇ ନିଖୋଜ ଖବର ପାଇଥିଲେ। ସୁରକ୍ଷିତ ଭାବରେ ସରୋଜ ଫେରି ଆସନ୍ତୁ ବୋଲି ସମସ୍ତ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ହେଲେ ଆଜି ତାଙ୍କ ମୃତଦେହ ଠାବ ହୋଇଛି।