ଓଡ଼ିଶା ୩୬୫(ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ୨୦୨୩ ବିଶ୍ୱକପ୍ ମହାଯୁଦ୍ଧ । ଯାହା ଆଗାମୀ ୫୦ ଦିନ ପର୍ଯ୍ୟନ୍ତ ଚାଲିବ । ଭାରତରେ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । କେବଳ କ୍ରିକେଟପ୍ରେମୀ ନୁହଁନ୍ତି, ଏହି ବିଶ୍ୱକପ୍ ଭାରତୀୟ ଅର୍ଥନୀତି ପାଇଁ ଶୁଭଙ୍କର ମଧ୍ୟ ହେବାକୁ ଯାଉଛି । ଏହାରି ଭିତରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଆଇସିସି କ୍ରିକେଟ୍ ବିଶ୍ୱକପକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ, ବିଶ୍ୱକପ୍ କାରଣରୁ ଭାରତର ଅର୍ଥନୀତିକୁ ୨୨ ହଜାର କୋଟି ବା ୨.୬୫ ବିଲିୟନ ଡଲାରର ବୁଷ୍ଟର ଡୋଜ୍ ମିଳିବ ।
ବ୍ୟାଙ୍କ ଅଫ୍ ବରୋଦାର ଅର୍ଥନୀତିଜ୍ଞ ଜାହ୍ନବୀ ପ୍ରଭାକର ଓ ଅଦିତି ଗୁପ୍ତା ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦେଶର ୧୦ଟି ସ୍ଥାନରେ ଥିବା ଷ୍ଟାଡିୟମରେ ଅତି କମରେ ୨୫ ଲକ୍ଷ ଲୋକ ୪୮ଟି ମ୍ୟାଚ୍ ଲାଇଭ୍ ଦେଖିବେ। ଏହା ସହିତ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ନିଜ ଘରେ ବସି ମ୍ୟାଚକୁ ଉପଭୋଗ କରିବେ। ଏହି ବିଶ୍ବସ୍ତରର ଟୁର୍ଣ୍ଣାମେଣ୍ଟ ଆୟୋଜନ ସିଧାସଳଖ ଅର୍ଥନୀତିକୁ ଫାଇଦା ଦେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।
ଏହାସହିତ କୁହାଯାଇଛି, ଏହି ୨୨ ହଜାର କୋଟି ମଧ୍ୟରୁ ସର୍ବାଧିକ ୧୨ ହଜାର କୋଟି ଟିଭି ପ୍ରସାରଣ ଅଧିକାର, ପ୍ରାୟୋଜକମାନଙ୍କଠାରୁ ଆସିବ । ସେହିପରି ସ୍କ୍ରିନିଂ ଓ ଫୁଡ ଡେଲିଭରି କ୍ଷେତ୍ରରୁ ୫ ହଜାର କୋଟି, ଟିକେଟ ବିକ୍ରି ବାବଦରୁ ୨୨୦୦ କୋଟି, ବିଦେଶୀ ପର୍ୟ୍ୟଟକଙ୍କ ମାଧ୍ୟମରେ ୬୦୦ କୋଟି ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରୁ ୧୦୦୦ କୋଟି ଆସିବ ବୋଲି ରିପୋର୍ଟରେ କୁହାଯାଇଛି । ଯାହା ଭାରତ ପାଇଁ ଏକ ଖୁସି ଖବର ।