ଓଡ଼ିଶା 365 (ବ୍ୟୁରୋ) : ପୌରାଣିକ ମତ ଅନୁସାରେ, ଦୁଇ ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ବରଂ ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ । ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ । ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ । ତେବେ ଶୁମ୍ଭ-ନିଶୁମ୍ଭଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀ ଶାନ୍ତ ହୋଇ ନ ଥିଲେ। ମା’ଙ୍କ ରକ୍ତମୁଖା ରୂପ ଦେଖି ଦେବତାମାନେ ମଧ୍ୟ ଭୟ ପାଇ ଯାଇଥିଲେ। ଶେଷରେ ମା’ କାଳୀଙ୍କୁ ତାଙ୍କ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ତାଙ୍କ ଯିବା ବାଟର ଭୂମିରେ ଶୟନ କଲେ ।
ମା’ କାଳୀ ମହାଦେବଙ୍କ ଛାତି ଉପରେ ଗୋଡ଼ ରଖି ଦେଇଥିଲେ ।
ନିଜ ସ୍ୱାମୀଙ୍କ ଉପରେ ଗୋଡ଼ ରଖିବା ପରେ ମା’ ନିଜ ପୂର୍ବ ଅବସ୍ଥାକୁ ସ୍ମରଣ କରି ପାରିଥିଲେ ଓ ଲଜ୍ଜାରେ ନିଜ ଜିଭ ଆଗକୁ ବାହାର କରି ଦେଇଥିଲେ । ସେହିଦିନଠାରୁ ମା’ଙ୍କର ଏହି ରୂପକୁ କାଳୀ ପୂଜା ଅର୍ଥାତ୍ ଦୀପାବଳିରେ ପୂଜା କରାଯାଇଥାଏ । ଅମାବାସ୍ୟା ରାତିରେ କାଳୀଙ୍କର ପୂଜା ହେଉଥିବାରୁ ତାନ୍ତ୍ରିକମାନେ ମଧ୍ୟ ଏହି ଦିନ ମା’ଙ୍କର ଉପାସନା କରିଥା’ନ୍ତି। ଦୀପାବଳିର ଆଗମନରେ ମହାକାଳୀଙ୍କୁ ପୂଜା କଲେ, ମା’ ସୁଖସମୃଦ୍ଧି ପ୍ରଦାନ କରିଥା’ନ୍ତି । ଏହାମଧ୍ୟ କୁହାଯାଏ, ଏହି ଦିନ ମା’ କାଳୀ ତାଙ୍କ ଅନୁଗାମୀଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିଥା’ନ୍ତି । ଏଥିପାଇଁ ମା’ଙ୍କ ଆଗରେ ଅଖଣ୍ଡ ଦୀପ ମଧ୍ୟ ବସାଯାଏ। ଅନେକ ବିଶ୍ୱାସ କରନ୍ତି, ମା’ କାଳୀ ପୃଥିବୀରେ ନ୍ୟାୟ ଓ ଜୀବନର ପୁନଃନିର୍ମାଣ କରିଥା’ନ୍ତି, ଯେଉଁଥିରେ ପ୍ରତ୍ୟେକ ମଣିଷକୁ ଶାନ୍ତି ଓ ସଂହତିର ସହ ରହିବା ପାଇଁ ବାର୍ତ୍ତା ଦିଆଯାଏ । ଏହି କାରଣରୁ ପୂର୍ବ ଭାରତର କିଛି ହିନ୍ଦୁ ଧର୍ମାବଲମ୍ବୀ ଦୀପାବଳି ଅପେକ୍ଷା କାଳୀ ପୂଜାକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି ।