ଓଡ଼ିଶା 365 (ବ୍ୟୁରୋ): ନୀଳ ପରେ ଏବେ ନୂଆ ରୂପରେ ସାମ୍ନାକୁ ଆସିଛି ବନ୍ଦେ ଭାରତ ଏକ୍ସପ୍ରେସ । ଏହାକୁ କମଳା ରଙ୍ଗ କରିବା ପଛରେ କୌଣସି ରାଜନୈତିକ କାରଣ ନାହିଁ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ଗଣମାଧ୍ୟମ ସହ କଥାବର୍ତ୍ତା ବେଳେ, ବନ୍ଦେ ଭାରତ ଏକ୍ସପ୍ରେସକୁ କମଳା ରଙ୍ଗ କରିବା ପଛରେ ରାଜନୈତିକ କାରଣ ଥିବା କଥାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାପଛରେ ସମ୍ପୂର୍ଣ୍ଣ ବୈଜ୍ଞାନିକ କାରଣ ଅଛି ବୋଲି ସେ କହିଛନ୍ତି । ଜାଣନ୍ତୁ କାହିଁକି ଏପରି କହିଛନ୍ତି ରେଳମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବଙ୍କ କହିବା କଥା, ବିଜ୍ଞାନ ଅନୁଯାୟୀ, ମଣିଷର ଆଖି ଦୁଇଟି ରଙ୍ଗକୁ ଅତି ସହଜରରେ ଦେଖିବାରେ । ତାହା ହେଉଛି ହଳଦିଆ ଏବଂ କମଳା । ସେଥିପାଇଁ ୟୁରୋପରେ ୮୦ ପ୍ରତିଶତରୁ ଅଧିକ ଟ୍ରେନ୍ କମଳା କିମ୍ବା ହଳଦିଆ ରଙ୍ଗର ।
ଏହି ଦୁଇଟି ରଙ୍ଗ ବ୍ୟତୀତ ରୂପା ପରି ଅନ୍ୟ କିଛି ରଙ୍ଗ ଅଛି, ଯାହା ହଳଦିଆ ଏବଂ କମଳା ଭଳି ଉଜ୍ଜ୍ୱଳ । କିନ୍ତୁ ଆମେ ଯଦି ଆମ ଆଖି ବିଷୟରେ କଥା ହେବା, ତେବେ ଏହି ଦୁଇଟି ରଙ୍ଗ ଆଖି ପାଇଁ ସର୍ବୋତ୍ତମ ବୋଲି ବିବଚେନା କରାଯାଏ । ଏହାସହ ରେଳମନ୍ତ୍ରୀ କହିଛନ୍ତି, ଏଥିପାଇଁ ବିମାନ ଏବଂ ଜାହାଜର କଳା ବାକ୍ସ କମଳା ରଙ୍ଗର ହୋଇଥାଏ । ଏପରିକି ଉଦ୍ଧାର ଡଙ୍ଗା, ଏନଡିଆରଏଫ ଦ୍ୱାରା ବ୍ୟବହୃତ ଲାଇଫ ଜ୍ୟାକେଟ୍ ଭଳି ଜିନିଷ ମଧ୍ୟ କମଳା ରଙ୍ଗର ।