ଓଡ଼ିଶା 365 (ବ୍ୟୁରୋ): ପରୀକ୍ଷାକୁ ଏବେ ଗୁରୁତର ସହ ନେଉନାହାନ୍ତି ରାଜ୍ୟ ସରକାର। ନିଯୁକ୍ତି ପରୀକ୍ଷା ହେଉ କି ପ୍ରବେଶିକା ପରୀକ୍ଷା ହେଉ କି ବିଦ୍ୟଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପରୀକ୍ଷା ହେଉ ଏସେବୁକୁ ସେତେଟା ଗୁରୁତ୍ୱ ସହ ନେଉନାହାନ୍ତି ରାଜ୍ୟ ସରକାର। କାରଣ ଅତୀତରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାରୁ କିଛି ଶିଖିଲେନି ସରକାର। ଏଥିରେ କେତେକତେ ପରୀକ୍ଷାର୍ଥୀ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ ହେଁ ମାତ୍ର, ସରକାର ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ଫଳରେ ପ୍ରଶ୍ନପତ୍ର ଭାଇରାଲ ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରୁନି। ଏହି କ୍ରମରେ ଭାଇରାଲ ହୋଇଛି ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର। ବୁଧବାର ମାଟ୍ରିକ ପରୀକ୍ଷାର ପ୍ରାକ୍ ପ୍ରସ୍ତୁତି ଭାବେ ଗ୍ରହଣ କରାଯାଉଥିବା ଷାଣ୍ମାସିକ ପରୀକ୍ଷାର ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା । ମାତ୍ର, ବିଡ଼ମ୍ବନାର କଥା ହେଉଛି କି ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବାର ଦିନକ ଆଗରୁ ସାହିତ୍ୟ, ଇଂରାଜୀ ବିଷୟ ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ପ୍ରଘଟ ହୋଇଗଲା । ଏହାବାଦ୍ ଅନ୍ୟ କିଛି ବିଷୟର ପ୍ରଶ୍ନ ମଧ୍ୟ ୟୁଟ୍ୟୁବ୍ ଚ୍ୟାନେଲ୍ ସମେତ ହ୍ୱାଟସ୍ଆପ୍ ଆଦିରେ ଭାଇରାଲ୍ ହେଉଥିବାରୁ ପରୀକ୍ଷାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମାଟ୍ରିକ୍ ମୂଲ୍ୟାୟନରେ ଷାଣ୍ମାସିକ ପରୀକ୍ଷାର କୌଣସି ଭୂମିକା ନଥିଲେ ମଧ୍ୟ ପ୍ରଶ୍ନପତ୍ର କିଭଳି ଓ କାହିଁକି ପ୍ରଘଟ ହେଉଛି ତାହା ବିସ୍ମୟ ସୃଷ୍ଟି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଷାଣ୍ମାସିକ ପରୀକ୍ଷାରେ ସ୍ୱଚ୍ଛତା ଲାଗି ରାଜ୍ୟରେ ୯ ହଜାରରୁ ଅଧିକ ହାଇସ୍କୁଲ୍ରେ ୫ ଲକ୍ଷ ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପ୍ରଶ୍ନପତ୍ର ତିଆରି କରିଥିଲା । ଅକ୍ଟୋବର ୪ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଲାଗି ଜଉମୁଦ ଲଫାପାରେ ପ୍ରଶ୍ନପତ୍ରଗୁଡ଼ିକୁ ବୋର୍ଡ କର୍ତ୍ତୃପକ୍ଷ ରାଜ୍ୟର ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ପରେ ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ପଠାଯାଇଥିଲା । ବ୍ୟବସ୍ଥା ଅନୁସାରେ ପରୀକ୍ଷା କେନ୍ଦ୍ରରେ ସକାଳ ୯ଟା ୪୫ରେ ପ୍ରଶ୍ନ ପ୍ୟାକେଟ୍ ଖୋଲଯିବା କଥା । କିନ୍ତୁ ଦିନକ ପୂର୍ବରୁ ହିଁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ଅପରପକ୍ଷେ ପ୍ରଶ୍ନପତ୍ର ଭଇରାଲ୍ ହେବାକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।