ଓଡ଼ିଶା 365 (ବ୍ୟୁରୋ) : ସଂଗ୍ରାମର ସଂଜ୍ଞା ବୁଝିବା ପୂର୍ବରୁ ସେ ପାଲଟିଯାଇଥିଲେ ସଂଗ୍ରାମୀ। ଶୁଣିଥିଲେ ଦଗାଦିଆ ଫିରିଙ୍ଗିର ଅକଥନୀୟ ଅତ୍ୟାଚାର କଥା। ଦେଇଥିଲେ ମୁହଁତୋଡ଼ ଜବାବ। ଇଂରେଜଙ୍କୁ ଡଙ୍ଗାପାର କରିବାକୁ ମନାକରି ସେ ଗୁଳିକୁ ପାତିଦେଇଥିଲେ ଛାତି । ଢେଙ୍କାନାଳ ଜିଲ୍ଲା ଭୁବନର ନୀଳକଣ୍ଠପୁରର ଗ୍ରାମରେ ୧୯୨୬ମସିହା ୫ ଅକ୍ଟୋବର ଅର୍ଥାତ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସେହି ଓଡ଼ିଆ ପୁଅ ବାଜି ରାଉତ। ଯୁଗଯୁଗ ଧରି ତାଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିବ। ମାତ୍ର ୧୨ବର୍ଷ ବୟସରେ ନିଜର ବାରତ୍ୱ ଦେଖାଇ ବିଶ୍ୱର ସର୍ବ କନିଷ୍ଠ ସହିଦ ହୋଇ ସେ ପ୍ରମାଣ କରିଦେଇଥିଲେ ଯେ ଯେତେବେଳେ ଦେଶମାତୃକାର କଥା ଉଠେ ସେତେବେଳେ ଏ ମାଟିର ଶିଶୁଟିଏ ବି ସିଂହ ପାଲଟିଯାଏ। ବାଳୁତ ସମୟରୁ ହିଁ ପ୍ରଜାମଣ୍ଡଳର ବାନର ସେନାରେ ଯୋଗଦେଇ ଦେଶସେବା ପାଇଁ ମନ ବଳାଇଥିଲେ ବାଜିଆ ।
ଦେଶପ୍ରେମ ହିଁ ତାଙ୍କୁ ଟାଣିଆଣିଥିଲା ଇଂରେଜଙ୍କ ବିରୋଧରେ ଲଢେଇ କରିବା ପାଇଁ। ଢେଙ୍କାନାଳବାସୀ ତାଙ୍କ ସାହସକୁ ନେଇ ଆଜି ବି ଗର୍ବ କରନ୍ତି। ବାଜି ରାଉତଙ୍କ ପରି ଭାରତରେ ଅନେକ ସ୍ୱାଧୀନତା ସଂଗ୍ରାମରେ ପ୍ରାଣ ହରାଇଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଗାଥା ଯୁବପିଢୀଙ୍କୁ ଉତ୍ସାହିତ କରିବା ସହ ପ୍ରେରଣାଯୋଗାଇ ଆସୁଛି ଦେଶମାତୃକାର ସେବା ପାଇଁ । ବାଜିଆ ସିନା ଇଂରେଜଙ୍କ ଗୁଳିରେ ଶହିଦ ହୋଇଯାଇଥିଲେ କିନ୍ତୁ ଶେଷ ପର୍ଯ୍ୟନ୍ତ ହାର ମାନିନଥିଲେ । ଇଂରେଜମାନେ ଭୁବନରେ ଦମନ ଳୀଳା ପରେ ଅଗ୍ରସର ହୋଇଥିଲେ ନୀଳକଣ୍ଠପୁର ଘାଟ ଅଭିମୁଖେ। ସେତେବେଳେ ଚାଲିଥିଲା ପ୍ରଜାମେଳି,ଲଭୁବନରୁ ଖବର ଗଲା ପିରିଙ୍ଗି ଯାଉଛନ୍ତି ଯେମିତି ନଦୀ ପାର ନହୁଅନ୍ତି। ଡାକ ଶୁଭିଥିଲା ନଦୀ ଆରପାରିରୁ ହେଲୋ ମିଷ୍ଟର ଇଙ୍ଗ ମ୍ୟାନ୍, ଇଂରେଜମାନେ ନଦୀପାରହେବାକୁ ୧୨ବର୍ଷର ବାଳକକୁ ଡାକିଥିଲେ ମାତ୍ର ଡଙ୍ଗାପାର କରିବାକୁ ରୋକଠୋକ ମନା କରିଦେଇଥିଲା ଘାଟ ଜଗିଥିବା ବାଜିଆ। ସେ ଜାଣିଥିଲା ଏମାନେ ମୋ ମାଆ ଉପରେ ଅତ୍ୟାଚାର କରିଛନ୍ତି। ଇଂରେଜଙ୍କ ମୁଣ୍ଡକୁ ଚଢି ଥିଲା ରାଗ। ଏଥିପାଇଁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । କିନ୍ତୁ ଏହାର କାଣିଚାଏ ପ୍ରଭାବ ପଡ଼ିନଥିଲା ବାଜିଙ୍କ ଉପରେ ।
ଇଂରେଜଙ୍କ ଧମକକୁ ଖାତିର ନକରି ସେ ପୁର୍ନବାର ତାଙ୍କୁ ନଦୀର ଆରପାରିକୁ ନେବାକୁ ମନା କରିଥିଲେ । ବାଜିଆର ଏଭଳି ସାହସ ଦେଖି ଆହୁରି ରାଗି ଯାଇଥିଲେ ଇଂରେଜ । ଇଂରେଜ ଗୁଳି ଶହୀଦ ହୋଇଯାଇଥିଲେ ୧୨ବର୍ଷର ବାଳକ ବାଜି ରାଉତ। ରକ୍ତରେ ଲାଲା ହୋଇପଡିଥିଲା ଢେଙ୍କାନାଳ ଭୁବନର ନାଳକଣ୍ଠପୁରର ବ୍ରାହ୍ମଣୀ ନଦୀର ପାଣି । ସେଦିନ ଥିଲା ୧୯୩୮ମସିହା ଅକ୍ଟୋବର ୧୧ ତାରିଖ, ମା ପାଇଁ ସିନା ଜୀବନ ଦେଲା ହେଲେ ଇଂରେଜ ଆଗରେ ନୁଆଇଁ ନଥିଲା ଓଡ଼ିଆ ଜାତିର ମଥା। ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିଛି। ପିଢି ପରେ ପିଢି ପ୍ରେରଣା ଯୋଗାଉଛି ଦେଶମାତୃକାର ସେବା କରିବା ପାଇଁ। ଆଜି ସେହି ବୀରଙ୍କ ପବିତ୍ର ଜନ୍ମ ତିଥିରେ କୋଟି ପ୍ରଣାମ ।