ଓଡ଼ିଶା 365 (ବ୍ୟୁରୋ): ସିକିମରେ ବନ୍ୟା ପାଣିରେ ଭାସି ନିଖୋଜ ହୋଇଥିବା ଯବାନଙ୍କ ମଧ୍ୟରେ ଼ଅଛନ୍ତି ଓଡ଼ିଶା ଯବାନ ସରୋଜ କୁମାର ଦାସ। ସରୋଜଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଢ଼ିପ ଗାଁରେ।ସରୋଜ ବନ୍ୟାରେ ଭାସିଯାଇଥିବା ଖବର ମିଳିବା ପରେ ଭାଙ୍ଗିୁଡ଼ିଛନ୍ତି୍ ପୁରା ପରିବାର। ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ। ମଙ୍ଗଳବାର ରାତି ୧୦ଟାରେ ନିଜ ଭାଇ ମନୋଜଙ୍କ ସହ ଫୋନରେ କଥା ହୋଇଥିଲେ ସରୋଜ। ପ୍ରବଳ ବର୍ଷା ହେଉଛି ଏବଂ ସେ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି କହିଥିଲେ। ତେବେ ଏହାର ଦେଢ଼ ଘଣ୍ଟା ପରେ ଘରକୁ ଖବର ଆସିଥିଲା ଯେ, ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ଅନ୍ୟ ୨୩ ଯବାନ ଭାସିଯାଇଛନ୍ତି । ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ହାବିଲଦାର ଭାବେ ସିକିମରେ ଟ୍ରେନିଂରେ ଥିଲେ । କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ ସରୋଜ ଏବଂ ସାଥି ସେନା ଯବାନ ।
ଶେଷଥର ପାଇଁ ସରୋଜ ଗତ ମାସେ ତଳେ ରାକ୍ଷୀ ପୂର୍ଣ୍ଣିମାକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ । ଭଉଣୀ ହାତରେ ରାକ୍ଷୀ ବାନ୍ଧି ସେପ୍ଟେମ୍ବର ମାସ ୪ ତାରିଖ ଦିନ ଘରୁ ଫେରିଯାଇ ସିକିମରେ ସେନାରେ ଯୋଗ ଦେଇଥିଲେ । ସରୋଜ ୭ ମାସ ତଳେ ବିବାହ କରିଥିଲେ। ହେଲେ ସେ ନିଖୋଜ ଥିବା ଖବର ପାଇବା ପରେ ଘରେ ସମସ୍ତେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ସରୋଜଙ୍କ ବାପା, ମାଆ, ଭାଇ ଓ ନବବିବାହିତା ପତ୍ନୀଙ୍କ ଆଖିରୁ ନିଦ ହଜିଯାଇଛି।