ଓଡ଼ିଶା 365 (ବ୍ୟୁରୋ) : ଚୀନର ହଙ୍ଗଝୌରେ ଖେଳାଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା ରଚିଛନ୍ତି ଇତିହାସ। ଜାଭେଲିନ ଥ୍ରୋରେ ନିଜ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ୍ରେ କିଶୋର ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି। ଏହା ପୂର୍ବରୁ ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ କିଶୋର ୮୪.୭୭ ମିଟର ଭାଲା ଫିଙ୍ଗି ପଞ୍ଚମ ସ୍ଥାନ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଯାହାକୁ ସେ ଏସୀୟ କ୍ରୀଡ଼ା ୨୦୨୩ରେ ଅତିକ୍ରମକରିଛନ୍ତି ।
ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ଵ ଆଥଲେଟିକ୍ସରେ ସେ ଭାଗ ନେଇଥିଲେ। କିଶୋର ଜେନାଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ୨୭ ବର୍ଷୀୟ କିଶୋର ଜେନା ହେଉଛନ୍ତି ଓଡ଼ିଶାରପୁରୀ ଜିଲ୍ଲାର ବାସିନ୍ଦା।
ଫାଇନାଲ୍ ମୁକାବିଲାରେ ଓଡ଼ିଆ ପୁଅ କିଶୋର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନିଜ ଦେଶର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇଥିଲେ। ଚତୁର୍ଥ ପ୍ରୟାସରେ ସେ ୮୭.୫୪ ମିଟର ଫିଙ୍ଗି ସ୍ଵର୍ଣ୍ଣ ପଦକ ପାଇଁ ଦାବିଦାର ରହିଥିଲେ। ତେବେ ଟୋକିଓ ଅଲିମ୍ପିକ୍ସର ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ୮୮.୮୮ ମିଟର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ କିଶୋର ରୌପ୍ୟ ପଦକ ଜିତି ଓଡ଼ିଶା ସହ ଦେଶକୁ ଗୌରବାନ୍ଵିତ କରିଛନ୍ତି ।
ଭାରତ ଏହି ବର୍ଗରେ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ କବଜା କରିଛନ୍ତି। ଚଳିତ ବର୍ଷ ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳା ଯାଇଥିବା ପ୍ରତିଯୋଗିତାରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଯାଏ ଭାଲା ଫିଙ୍ଗିଥିଲେ। ଏହି ପ୍ରଦର୍ଶନ ବଳରେ ସେ ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିଶୋରଙ୍କ ଏହିଭଳି ସଫଳତା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଦେଖିବାକୁ ମିଳିଥିଲା।