ଓଡ଼ିଶା 365 (ବ୍ୟୁରୋ) : ପ୍ରଥମେତ ଚୋରି, ପରେ ଚୋରି ଜିନିଷ ଧରାନ ଡ଼ିବାକୁ ଚୋର ଚଲାଇଥିଲେ ମାଷ୍ଟର ପ୍ଲାନ । ଯାହାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୋଲିସ । ହଁ ଆଜ୍ଞା ଏପରି ଏକ ଠକେଇ ଗ୍ୟାଙ୍ଗ୍କୁ କାବୁ କରିବାରେ ସମର୍ଥ ହୋଇଛି ୨.୭୦୦ ଗ୍ରାମ ସୁନା ସମେତ, ନଗଦ ୨୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ପୁଲିସ ।ଗତ କିଛି ମାସ ଧରି ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚୋରି କରି ସେହି ସୁନାକୁ ଘରୋଇ ଫାଇନାସ୍ସ ସଂସ୍ଥାର ମ୍ୟାନେଜରଙ୍କ ସହାୟତାରେ ବନ୍ଧକ ରଖୁଥିଲେ । ତେବେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି,”ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ବିଜୟ ବିହାର ତୃତୀୟ ଲାଇନ୍ରେ ରହୁଥିବା କାଳୀଚରଣ ପଣ୍ଡାଙ୍କ ଘର ଗତ 20 ତାରିଖ ବିଳମ୍ୱିତ ରାତ୍ରରେ ଚୋରି ହୋଇଥିଲା । ଏହି ଘଟଣାରେ ସନିଆ ଗୌଡ ନାମକ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ । ଏହାପରେ ଘଟଣାକୁ ନେଇ ଅଧିକ ତଦନ୍ତ ପରେ ଏହି ବଡ଼ ସ୍କାମ ସାମ୍ନାକୁ ଆସିଥିଲା ।
ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାରକୁ ନେଇ ବନ୍ଧକ ରଖି ଅର୍ଥ କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ସାନବଜାର ଛକରେ ରହିଥିବା ମୁଠୁଡ୍ ଫାଇନାସର ମ୍ୟାନେଜର ମୋହନ ପାଢୀକୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା । ଏଥିସହ ପୋଲିସର ତଦନ୍ତ ସମୟରେ ଏଭଲି ଚୋରି ସୁନାକୁ ତରଳାଇ ବିକ୍ରି କରାଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଅସିଥିଲା । ଯାହାକୁ ନେଇ ବିରାଜ ଗୋଲ୍ଡ ଏବଂ ଟେଷ୍ଟିଂ ସେଣ୍ଟରର ମ୍ୟାନେଜର ସନ୍ତୋଷ ଗାଏକୱାର୍ଡ ଏବଂ ଚୋରି ସୁନାକୁ ରଖି ଆସୁଥିବା ସୁରେନ୍ଦ୍ର ମହାପାତ୍ରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ।
ପଚରାଉଚରା ପରେ ସେମାନଙ୍କ ନିକଟରୁ ୨୭୦୦ ଗ୍ରାମ ସୁନା ସମେତ ୪୦୦ ଗ୍ରାମ ରୂପା ଏବଂ ନଗଦ ୨୬ ଲକ୍ଷ ୩୮ ହଜାର ୫ ଶହ ଟଙ୍କା ଜବତ କରାଯାଇଛି ।
ତେବେ ଗିରଫ ସନିଆ ଗୌଡର ଘର ସହରର ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବର୍ହ୍ମପୁର ନୀଳାଞ୍ଚଳ ସାହି ହୋଇଥିବା ବେଳେ ସେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ମାମାଲାରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଏପରି ଏକ ବଡ଼ ଧରଣର ଚୋରି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଥିବା ନିମଖଣ୍ଡି ଥାନାଧିକାରୀ ,ଏସ୍.ଡି.ପି.ଓଙ୍କ ସମେତ ପୋଲିସ ଟିମର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।