ଓଡ଼ିଶା 365 (ବ୍ୟୁରୋ) : ଏସିଆନ ଗେମ୍ସରେ ଚମକିଛନ୍ତି ଭାରତୀୟ ଖେଳାଳି। ସେମିଫାଇନାଲ ମ୍ୟାଚରେ ଶକ୍ତିଶାଳୀ କୋରିଆକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ। ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି। ଶେଷ ଗ୍ରୁପ୍ ମ୍ୟାଚ୍ରେ ଭାରତ ବାଂଲାଦେଶ ବିପକ୍ଷରେ ଖେଳି ୧୨-୦ରେ ମ୍ୟାଚ୍ ଜିତିଥିଲା। ଅନ୍ୟପପକ୍ଷରେ ଏସୀୟ କ୍ରୀଡ଼ାରେ ଭାରତର ମହିଳା କବାଡି ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଭାରତୀୟ ଦଳ ଥାଇଲାଣ୍ଡକୁ ୫୪-୨୨ରେ ପରାସ୍ତ କରିଛି। ଏହା ସହ ଭାରତ ମଧ୍ୟ ସେମିଫାଇନାଲକୁ ଟିକେଟ୍ ହାସଲ କରିଛି ।
ମହିଳା ୭୫ କେଜି ବର୍ଗରେ ଲଭଲିନା ବୋର୍ଗୋହେନ ଫାଇନାଲ ମ୍ୟାଚରେ ପରାଜିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ସ୍କ୍ୱାଶର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଦୀପିକା ପଲ୍ଲିକଲ ଓ ହରିନ୍ଦର ପାଲ ସିଂହ । ସେମିଫାଇନାଲରେ ହଂକଂ ବିପକ୍ଷ ପ୍ରଥମ ସେଟ୍ ହାରିବା ପରେ ଭାରତୀୟ ଯୋଡ଼ି ଦମଦାର ପ୍ରତ୍ୟାବର୍ତ୍ତନ କରି ପଦକ ନଶ୍ଚିତ କରିଛନ୍ତି । ପଦକ ଜିତିବା ତାଲିକାରେ ଆୟୋଜକ ଚୀନ ପ୍ରଥମ, ଦ୍ୱିତୀୟରେ ଜାପାନ ଓ ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ରହିଥିବାବେଳେ ଚତୁର୍ଥ ସ୍ଥାନରେ ରହିଛି ଭାରତ।