ଓଡ଼ିଶା ୩୬୫(ବ୍ୟୁରୋ): ଉତ୍ତର ସିକ୍କିମର ଲୋନାକ ହ୍ରଦ ଏବଂ ଟିସ୍ତା ନଦୀରେ ବନ୍ୟା ପରିସ୍ଥିତି ଫଳରେ ବ୍ୟାପକ ଧ୍ୱଂସ ଘଟାଇଛି। ଏହି ବନ୍ୟା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ସେନା କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ଏହି ସମୟରେ, ଏନଡିଆରଏଫ ସିକ୍କିମର ସିଙ୍ଗଟାମରୁ ୭ ଜଣଙ୍କୁ ଉଦ୍ଧାର କରିଥିଲା । ଗାଙ୍ଗଟୋକରେ ଏନଡିଆରଏଫ ର ଗୋଟିଏ ଟିମ୍ ଏବଂ ପଶ୍ଚିମବଙ୍ଗର ସିକ୍କିମ୍ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଦଳଗୁଡିକ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ।
ଡ୍ୟାମରୁ ପାଣି ବାହାରିବା ପରେ ପରିସ୍ଥିତି ବିଗିଡି ଯାଇଥିଲା
ସୂଚନାନୁସାରେ, ହଠାତ୍ ବନ୍ୟା ପରିସ୍ଥିତି ଏବଂ ଡ୍ୟାମରୁ ପାଣି ଛାଡିବା କାରଣରୁ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଏହି ଫ୍ଲାସ ବନ୍ୟା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଘଟିଛି। ପ୍ରତିରକ୍ଷା ଅଧିକାରୀଙ୍କ କହିବାନୁସାରେ, ଉପତ୍ୟକାର ଅନେକ ପ୍ରତିଷ୍ଠାନ ବନ୍ୟା ପ୍ରଭାବିତ ହୋଇଛି। ସେ କହିଛନ୍ତି ଯେ ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ନିର୍ଗତ ହେତୁ ହ୍ରଦରେ ଜଳ ସ୍ତର ହଠାତ୍ ୧୫ ରୁ ୨୦ ଫୁଟକୁ ବୃଦ୍ଧି ପାଇଲା।
ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି ଯେ ଏହି କାରଣରୁ ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ଜଳମଗ୍ନ ହୋଇଯାଇଥିଲା। ସେ କହିଛନ୍ତି ଯେ ୨୩ ଜଣ ସେନା କର୍ମଚାରୀ ନିଖୋଜ ହୋଇଯାଇଛନ୍ତି ଏବଂ ୪୧ ଟି ଗାଡି କାଦୁଅରେ ବୁଡ଼ି ଯାଇଛି। ସନ୍ଧାନ ଏବଂ ଉଦ୍ଧାର କାର୍ୟ୍ୟ ଚାଲିଛି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ସୀମା ସଡକ ସଂଗଠନ (ବିଆରଓ) ଉଦ୍ଧାର କାର୍ୟ୍ୟ କରୁଛି ଏବଂ ଏପର୍ୟ୍ୟନ୍ତ ୮୦ ଜଣ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରାଯାଇଛି।