ଓଡ଼ିଶା 365 (ବ୍ୟୁରୋ) : ଚୀନର ହାଙ୍ଗଝୌରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ୭୧ଟି ପଦକ ଜିତି ଭାରତ କରିଛି ନୂଆ ରେକର୍ଡ। ଏହାପୂର୍ବରୁ ଜାକର୍ତ୍ତାରେ ହୋଇଥିବା ଏସୀୟ କ୍ରୀଡାରେ ଭାରତ ୭୦ଟି ପଦକ ଜିତିଥିଲା । କିନ୍ତୁ ଚଳିତ ଏସୀୟ କ୍ରୀଡାରେ ଏହି ରେକର୍ଡ ଭାଙ୍ଗିଛି ଭାରତ । ସ୍ୱର୍ଣ୍ଣ ପଦକ ସହ ଏସୀୟ କ୍ରୀଡାର ୧୧ତମ ଦିନ ଆରମ୍ଭ କରିଛି । ତୀରନ୍ଦାଜୀର ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତର ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ ଭାରତୀୟ ଯୋଡି ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଏହି ବିଜୟ ସହ ଭାରତ ଗୋଟିଏ ସଂସ୍କରଣରେ ମଧ୍ୟ ସର୍ବାଧିକ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି ।
ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ୩୫ ମିଟର ରେସ୍ୱାକ୍ ମିକ୍ସଡ ଟିମ୍ ଇଭେଣ୍ଟରେ ମିଳିଛି ବ୍ରୋଞ୍ଜ ପଦକ। ମଞ୍ଜୁ ରାଣୀ ଓ ରାମବାବୁ ଏହି ସଫଳତା ଆଣିଛନ୍ତି । ଏହି ସଫଳତା ସହ ଭାରତର ବ୍ରୋଞ୍ଜ୍ ପଦକ ସଂଖ୍ୟା ୨୯ରେ ପହଞ୍ଚିଥିବାବେଳେ ମୋଟ ଭାରତର ପଦକ ସଂଖ୍ୟା ୭୧ରେ ପହଞ୍ଚିଛି । ସେଥିରେ ୧୬ଟି ସ୍ୱର୍ଣ୍ଣ ୨୬ଚି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ୍ ପଦକ ରହିଛି ।
ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଆୟୋଜକ ଚୀନ ସର୍ବାଧିକ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟରେ ଜାପାନ ଓ ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ। ସେପଟେ ତୀରନ୍ଦାଜୀ କ୍ରୀଡା ବ୍ୟକ୍ତିଗତ କମ୍ପାଉଣ୍ଟ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ମୋଟ ୩ଟି ପଦକ ପକ୍କା କରିଛନ୍ତି । ପୁରୁଷ ବର୍ଗରେ ଓଜସ ପ୍ରବୀଣ ଦେଓତାଲେ ଓ ଅଭିଷେକ ବର୍ମା, ମହିଳା କମ୍ପାଉଣ୍ଡରେ ଜ୍ୟୋତି ସୁରେଖା ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ୱ ଚମ୍ପିଆନ ଅଦିତି ଗୋସ୍ବାମୀ ବ୍ରୋଞ୍ଜ ପଦକ ପାଇଁ ଲଢିବେ। ଆଜି ନୀରଜ ଚୋପ୍ରା ମୈଦାନକୁ ଓହ୍ଲାଇବେ । ତେଣୁ ନୀରଜଙ୍କ ଠାରୁ ମଧ୍ୟ ଏକ ପଦକ ଆଶା ରଖିଛି ଭାରତ ।