ଓଡ଼ିଆ 365 (ବ୍ୟୁରୋ) : ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ । ଏନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଏହାରି ମଧ୍ୟରେ ବିଶ୍ୱକପରେ ଆଫଗାନିସ୍ତାନ କ୍ରିକେଟ୍ ଟିମର ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟର ଅଜୟ ଜାଡେଜା। ଏନେଇ ଆଫଗାନିସ୍ତାନ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଆଫଗାନିସ୍ତାନ ଟିମ୍ ଆସନ୍ତା ୭ ତାରିଖରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍ରେ ଦଳ ବାଂଲାଦେଶକୁ ଭେଟିବ। ବିଶ୍ୱକପରେ ଆଫଗାନିସ୍ତାନକୁ ସାହା ହେବେ ଜାଡେଜା ।
ଭାରତ ପକ୍ଷରୁ ୧୯୯୨, ୧୯୯୬, ୧୯୯୯ ବିଶ୍ୱକପ୍ ଖେଳିବା ସହ ୧୯୬ଟି ଦିନିକିଆ ଖେଳି ୩୭.୪୭ ହାରରେ ମୋଟ୍ ୫୩୫୯ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି । ୨୦୧୯ ବିଶ୍ୱକପ୍ରେ ଆଫଗାନିସ୍ତାନ ୯ଟି ଯାକ ଲିଗ୍ ମ୍ୟାଚ୍ ଖେଳି ପରାଜିତ ହୋଇଥିଲା । ମାତ୍ର ଏଥର ବିଜୟ ସ୍ୱାଦ ଚାଖିବାକୁ ଦଳ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଜାଡେଜାଙ୍କ ଉପସ୍ଥିତିରେ ଦଳର ଉତ୍ସାହ ବୃଦ୍ଧି ପାଇଛି । ତାଙ୍କ ଅଭିଜ୍ଞତା ଆଫଗାନିସ୍ତାନକୁ ବେଶ ଫାଇଦା ଦେବ ବୋଲି ଆଫଗାନିସ୍ତାନ କ୍ରିକେଟ୍ ଟିମ୍ ବେଶ ଆଶାବାଦୀ ।