ଓଡ଼ିଶା 365 (ବ୍ୟୁରୋ): ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନସର ହସ୍ପିଟାଲ୍ ଓ ରିସର୍ଚ୍ଚ ସେଣ୍ଟର ହୋଇଛି ଭିତ୍ତିପ୍ରସ୍ତର ସ୍ଥାପନ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ୍ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ବିଶ୍ୱସ୍ତରୀୟ କ୍ୟାନସର କେୟାର ସେଣ୍ଟର ହେବ। କର୍କଟ ଚିକିତ୍ସା ପାଇଁ ଓଡ଼ିଶାବାସୀଙ୍କୁ ଆଉ ମୁମ୍ବାଇ ଭଳି ବଡ଼ ସହର ଯିବାକୁ ପଡ଼ିବ ନାହିଁ । ଲୋକେ ଖର୍ଚ୍ଚାନ୍ତରୁ ବଞ୍ଚିବା ସହ ମାନସିକ ଚାପରୁ ରକ୍ଷା ପାଇବେ । ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟର କ୍ୟାନସର ରୋଗୀ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ । କ୍ୟାନସର ହସ୍ପିଟାଲ୍ ଲାଗି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ବିଭାଗ, ନାଇଜର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଟାଟା ମେମୋରିଆଲ୍ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।
ବୀନ କହିଛନ୍ତି, କ୍ୟାନସର ହସ୍ପିଟାଲକୁ ପ୍ରଶସ୍ତ ରାସ୍ତା ସହ ମୋ ବସ୍ ସେବା, ସ୍ୱତନ୍ତ୍ର ଅଗ୍ନିଶମ ସେବା କେନ୍ଦ୍ର ରହିବ । ଏହି ହସ୍ପିଟାଲକୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ହିତାଧିକାରୀଙ୍କୁ ମାଗଣା କର୍କଟ ଚିକିତ୍ସା ଯୋଗାଇ ଦେବେ । କ୍ୟାନସର ହସ୍ପିଟାଲ୍ ପରିସରରେ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ । ମେଡିକାଲ୍ ସାଇକ୍ଲୋଟ୍ରନ୍ ବ୍ୟବସ୍ଥା ପାଇଁ ସରକାର ୬୫ ଏକର ଜମି ଏବଂ ୧୫୦ କୋଟି ଟଙ୍କା ସହାୟତା ଦେଇଛନ୍ତି । ଏହା ଏସିଆର ଅତ୍ୟାଧୁନିକ ସାଇକ୍ଲୋଟ୍ରନ୍ ଫ୍ୟାସିଲିଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବରରେ ଓଡ଼ିଶା ସରକାର ଟାଟା ମେମୋରିଆନ୍ ସେଣ୍ଟର ମୁମ୍ବାଇ ସହ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ୍ ନେଇ ଏମ୍ଓୟୁ କରିଥିଲେ । ହସ୍ପିଟାଲ୍ ନିର୍ମାଣ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ୨୫୦ କୋଟି ଦେଇଥିବା ବେଳେ କେନ୍ଦ୍ରର ଆଣବିକ ଶକ୍ତି ବିଭାଗ ୪୦୦ କୋଟି ଟଙ୍କା ଦେଇଛି । ଯେଉଁଥିରେ ଯନ୍ତ୍ରପାତି କିଣାଯିବା ସହ ଧର୍ମଶାଳା ନିର୍ମାଣ, ରେସିଡେନ୍ସିଆଲ୍ କମ୍ପ୍ଲେକ୍ସ, ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦିଆଯିବ । ଏହି ହସ୍ପିଟାଲରେ ରେଡିଏସନ୍ ଥେରାପି, ଅତ୍ୟାଧୁନିକ ସର୍ଜରୀ, କେମୋଥେରାପି, ଟାର୍ଗେଟେଡ୍ ଥେରାପି ଏବଂ ଷ୍ଟିମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ ସୁବିଧା ମିଳିବ । ଏହା ଛଡ଼ା ଏଠାରେ କର୍କଟ ଚିକିତ୍ସା ନେଇ ଗବେଷଣା ହେବ । ଆଗୁଆ କର୍କଟ ଚିହ୍ନଟ ନେଇ ସ୍କ୍ରିନିଂ କରାଯିବ ।