ଓଡ଼ିଶା 365 (ବ୍ୟୁରୋ): ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ୍ ଭଟ୍ଟଙ୍କ ନାଁରେ କୋର୍ଟରେ ଏନ୍ବିଡବ୍ଲୁ ଜାରି କରିବ ପୋଲିସ। ଏନେଇ କୋର୍ଟରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ପୂର୍ବରୁ ସୌରିନଙ୍କ ନାଁରେ ଲୁକ୍ଆଉଟ୍ ନୋଟିସ୍ ଜାରି ହୋଇଥିବା ବେଳେ ଏବେ ତାଙ୍କ ନାଁରେ ଏନ୍ବିଡବ୍ଲୁ ବା ଜାମିନବିହୀନ ପରୱାନା ଜାରି ହେବ ।
ସୂଚନାଯୋଗ୍ୟ, ସୌରିନଙ୍କ ନାଁରେ କଟକର ଜଣେ ଯୁବତୀ ଗତ ଜୁନ୍ ୧୧ ତାରିଖରେ ବଳାତ୍କାର ଅଭିଯୋଗ ଆଣିଥିଲେ । ପୁଲିସ ଏନେଇ ମାମଲା ରୁଜୁ କରିବା ପରେ ଗତ ଅଗଷ୍ଟ ୭ରେ ସୌରିନ୍ ମହିଳା ଥାନାରେ ହାଜର ହୋଇଥିଲେ । ଏହା ପୂର୍ବରୁ ସେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କର ଅନ୍ତରୀଣ ସୁରକ୍ଷା ପାଇଥିଲେ । ଅଗଷ୍ଟ ୩୦ ତାରିଖରେ ଏହି ମାମଲାର ଶୁଣାଣି କରି କୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହା ପରେ ସୌରିନ ଆଉ ଥାନାକୁ ଆସି ହାଜର ହୋଇନଥିଲେ । ତେଣୁ ସେପ୍ଟେମ୍ବର ୭ରେ ପୁଲିସର ଏକ ଟିମ୍ ପୁଣି କୋଲକତା ଯାଇଥିଲା । ସେଠାରେ ସୌରିନ୍ଙ୍କ କୌଣସି ଖୋଜ୍ଖବର ମିଳିନଥିଲା । ପୁଲିସର ନୋଟିସ୍ ସତ୍ତେ୍ୱ ସେ ମହିଳା ଥାନାର ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହୋଇନଥିଲେ । ତେଣୁ କଟକ ପୁଲିସ ପକ୍ଷରୁ ଏନେଇ କ୍ରାଇମବ୍ରାଞ୍ଚକୁ ଅବଗତ କରାଯାଇ ଗତ ସେପ୍ଟେମ୍ବର ୧୧ ତାରିଖରେ ଲୁକ୍ଆଉଟ୍ ସର୍କୁଲାର ନୋଟିସ୍ ଜାରି କରାଯାଇଥିଲା । ଅନ୍ୟପକ୍ଷରେ ମାମଲା ରୁଜୁ ହେବାକୁ ଏହା ମଧ୍ୟରେ ୩ ମାସରୁ ଅଧିକ ସମୟ ହେଲାଣି । ତେଣୁ ନିୟମ ଅନୁସାରେ ପୁଲିସ ପକ୍ଷରୁ ସୌରିନ୍ଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିବାକୁ ନିଷ୍ପତ୍ତି ହୋଇଛି ।