ଓଡ଼ିଶା 365 (ବ୍ୟୁରୋ): ଫିଲ୍ମ ‘ଜି ଲେ ଜରା’କୁ ନେଇ ଲୋକମାନଙ୍କ ମନରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । କଣ ପାଇଁ ଏ ଫିଲ୍ମକୁ ଦର୍ଶକଙ୍କ ସମ୍ମୁଖକୁ ଅଣାଯାଉନାହିଁ । କାହିଁକି ବାରମ୍ବାର ଏହି ଫିଲ୍ମଟିକୁ ପୋଷ୍ଟପୋନ୍ କରାଯାଉଛି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ ଏହି ତିନି ଷ୍ଟାରଙ୍କ ସିନେମା ‘ଜି ଲେ ଜରା’କୁ ୨୦୨୧ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ତିନିଜଣ ଅଭିନେତ୍ରୀଙ୍କ ଅଭିନୀତ ସିନେମା ରିଲିଜକୁ ଦର୍ଶକ ବହୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ। ହେଲେ ଧିରେ ଧିରେ ଖବର ସାମ୍ନାକୁ ଆସିଥିଲା କି ଫିଲ୍ମ ପୋଷ୍ଟପୋନ୍ କରାଯାଇଛି ।ହେଲେ ଏପର୍ଯ୍ୟନ୍ତ ଏ ଫିଲ୍ମକୁ ନେଇ କୌଣସି ଖବର ମିଳିନଥିଲା । ଏହାର ସୁଟିଂ ଓ ରିଲିଜ ତାରିଖ ଦିନ ପରେ ଦିନ ଘୁଞ୍ଚି ଚାଲିଥିଲା। ତେବେ କାଷ୍ଟରେ କିଛି ପରିବର୍ତ୍ତନ କରାଯାଇଥିବା ହେତୁ ତାରିଖ ଘୁଞ୍ଚା ଯାଉଛି ବୋଲି କୁହାଯାଇଥିଲା। ସେପଟେ ଏକ ସାକ୍ଷାତକାରରେ ଫରହାନ କହିଥିଲେ ଯେ, ‘ତାରିଖକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସୁଛି। ମୁଁ ଏହା ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ଯେବେ ହେବାର ଥିବ ହେବ। ଏଥିପାଇଁ ଚିନ୍ତା କରିକି କିଛି ଲାଭ ନାହିଁ ।’
ସୂଚନା ଅନୁଯାୟୀ, ‘ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ଆସିନାହିଁ। ତେଣୁ ସେ ଏହି ସିନେମା କରିବାକୁ ମନା କରି ଦେଇଛନ୍ତି। ସେ ତାଙ୍କ ଭଉଣୀ ପରିଣୀତିଙ୍କ ବିବାହକୁ ଆସିବାର ଥିଲା, ଏହି ସମୟରେ ତାଙ୍କୁ ଏହି କଣ୍ଟ୍ରାକ୍ଟ ସାଇନ କରିବାର ଥିଲା। ତେଣୁ ଏକାଠି ତିନିଜଣ ଅଭିନେତ୍ରୀଙ୍କୁ ନେଇ ନିର୍ମିତ ହେବାକୁ ଥିବା ‘ଜି ଲେ ଜରା’ ଅଟକି ଯାଇଛି। ତେବେ କେବେ ଫିଲ୍ମ ହେବ ତାହା ମଧ୍ୟ କହିବା ସମ୍ଭବ ହୋଇପାରୁନାହିଁ ।