ଓଡ଼ିଶା 365 (ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ଅଷ୍ଟମ କାର୍ଯ୍ୟ ଦିବସ। ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି । ଆଜି ପଞ୍ଚୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନିର୍ମାଣ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷା ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି ।
ମୌସୁମୀ ଅଧିବେଶନ ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିଛି ଗୃହ । ତେବେ ଆଜି ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବାକୁ ଥିବା ବେଳେ ଆଜି କାର୍ଯ୍ୟ ସ୍ବାଭାବିକ ଚାଲିବ କି ନାହିଁ ତାକୁ ନେଇ ସନ୍ଦିହାନ୍ ଦେଖାଦେଇଛି । କାରଣ ବିରୋଧୀଙ୍କ ହଟ୍ଟଗୋଳ ପୂର୍ବରୁ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପଟେ ଗୃହକୁ ସ୍ବାଭାବିକ ଭାବେ ଚାଲିବାକୁ ଅପିଲ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ ବିଜେପି ବିଧାୟକ ମାନେ ବିଧାନସଭାରେ ଜନବିରୋଧୀ ନୀତି ଆପଣାଇଛନ୍ତି । ଅନ୍ୟପଟେ ମୌସୁମୀ ଅଧିବେଶନ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବାରୁ ଆଜି ଗୃହର ସ୍ଥିତି ସ୍ୱଭାବିକ ରହିବ କି ପୁଣି ଆଜି ବିରୋଧିଙ୍କ ନାରାବାଜି କମ୍ପିବ ତାହା ଉପରେ ସମସ୍ତଙ୍କ ନଜର।