ଓଡ଼ିଶା 365 (ବ୍ୟୁରୋ) : ଦୁଇ ପରିବାରରେ ଜମିଜମା ବିବାଦକୁ ରକ୍ତପାତ, ୬ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ରୁଦ୍ରପୁର ଗ୍ରାମରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା । ଯାହା ଶେଷରେ ଭୟଙ୍କର ରୂପ ନେଇଛି । ଦୁଇ ପରିବାର ମୁହାଁମୁହିଁ ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଛି । ପିଟିପିଟି ଛଅ ଜଣଙ୍କୁ ହତ୍ୟା କରାଯାଇଥିବା ଜଣା ପଡ଼ିଛି । ମୃତକଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ମଧ୍ୟ ରହିଛନ୍ତି ।
ଦୀର୍ଘ ଦିନରୁ ଗ୍ରାମରେ ଜମିଜମା ବିବାଦ ଲାଗି ରହିଥିବା ପୋଲିସ ସୂଚନା ଦେଇଛି । ପୋଲିସ କହିବା ଅନୁଯାୟୀ, ରୁଦ୍ରପୁର ଗ୍ରାମରେ ପୂର୍ବତନ ପଞ୍ଚାୟତ ସଦସ୍ୟ ପ୍ରେମ ଯାଦବଙ୍କୁ ମାଡ଼ ମରା ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରୁ ପ୍ରକାଶଯେ ଦୁବେଙ୍କୁ ହତ୍ୟା କରାଯାଇଥିଲା । ଅନ୍ୟ ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।