ଓଡ଼ିଶା 365 (ବ୍ୟୁରୋ) : ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେଲା ଟ୍ରକ । ୧୦ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁଆଟେମାଲା ସୀମା ନିକଟ ମେକ୍ସିକୋର ଚିଆପାସ୍ ରାଜ୍ୟରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଟ୍ରକଟି ଦକ୍ଷିଣ ଚିଆପାସର ପିଜିଜିଆପାନ-ଟୋନାଲା ରାଜପଥରେ ୨୭ ଜଣ କ୍ୟୁବା ନାଗରିକଙ୍କୁ ନେଇ ଯାଉଥବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଡ୍ରାଇଭର ଦ୍ରୁତ ଗତିରେ ଟ୍ରକ ଚଲାଉଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ୧୫ ଜଣ ଆହତଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ଶିଶୁ ରହିଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ନିଜ ଦେଶକୁ ଫେରାଇବା ପାଇଁ ପ୍ରାଶାସନିକ ସ୍ଥରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ମୃତକଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି । ଘଟଣାରେ ଗୁରୁତର ଥିବା ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାପୂର୍ବରୁ ଗୁରୁବାର ଦିନ ଚିଆପାସ୍ ରାଜ୍ୟର ମେଜକାଲାପା ମ୍ୟୁନିସିପାଲିଟିରେ ଏକ ଟ୍ରକ୍ ଓଲଟି ପଡ଼ିବାରୁ ଦୁଇ ପ୍ରବାସୀଙ୍କର ମୃତ୍ୟୁ ହୋଇଥିଲା ।
ଅଗଷ୍ଟ ୨୦ ତାରିଖରେ ପାକିସ୍ତାନରେ ଡିଜେଲ ଡ୍ରମ ଲୋଡ୍ ହୋଇଥିବା ଏକ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗିଥିଲା । ୧୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ । ଏଭଳି ଘଟଣା ଘଟିଛି ପାକିସ୍ତାନ ପଞ୍ଜାବର ପିଣ୍ଡି ଭାଟିଆନ ଅଞ୍ଚଳରେ ଘଟିଥିଲା । ବସଟି କରାଚିରୁ ଇସଲାମାବାଦ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା । ଫେବୃଆରୀ ୨୦ ତାରିଖରେ ପାକିସ୍ତାନରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ବାହାଘରରେ ଯୋଗ ଦେଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଥିଲା ବସ । ମହିଳା ଓ ଶିଶୁଙ୍କ ସମେତ ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୬ ଜଣ ଆହତ ହୋଇଥିଲେ । କାଲାର କାହାର ନିକଟ ଲାହୋର-ଇସଲାମବାଦ ମୋଟରୱେରେ ଏହି ଦୁର୍ଘଟଣା ଘଟିଥିଲା ।