ଓଡ଼ିଶା 365 (ବ୍ୟୁରୋ): ଦୂଷିତ ପାଣିପିଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗାଁରେ ଦେଖାଦେଇଛି ଝାଡାବାନ୍ତି ଆତଙ୍କ । ଏବେ ପର୍ଯ୍ୟନ୍ତ ଝାଡାବାନ୍ତିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୧୬ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟମାନେ ଏବେ ବି ଗୁରୁତର ଅଛନ୍ତି। ଏନେଇ ଗାଁରେ ଏକ ମେଡିକାଲ ଟିମ ପହଞ୍ଚି ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହିତ ଗାଁ ଲୋକଙ୍କୁ ସଚେତନ କରୁଛି l ଏବେ ମଧ୍ୟ ୧୪ଜଣ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗାଁକୁ ସଂଯୋଗ ହୋଇଥିବା ପାଇପ୍ ଲାଇନ୍ ଫାଟି ଯାଇଛି । ଏଯାଏ ମରାମତି ହୋଇପାରିନି। ଏଣୁ ଫଟା ପାଇପ୍ ଦେଇ ଯୋଗାଣ ହେଉଥିବା ପାଣିକୁ ବାଧ୍ୟ ହୋଇ ପାଉଛନ୍ତି ଲୋକେ l ଫଳରେ ସେହି ଦୂଷିତ ପାଣିପିଇ ଗ୍ରାମବାସୀମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଉଛି ଦେଢ ମାସରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l