ଓଡ଼ିଶା 365 (ବ୍ୟୁରୋ) :କେବେ ଖୋଲିବ ରତ୍ନଭଣ୍ଡାର। ନିର୍ବାଚନ ପୂର୍ବରୁ ନା ନିର୍ବାଚନ ପରେ,ସରକାର କେବେ ନେବେ ନିଷ୍ପତି,ସୁରକ୍ଷିତ ଅଛି ତ ରତ୍ନଭଣ୍ଡାରରେ ଥିବା ଅଳଙ୍କାର। ଏହାର ମରାମତି ତଥା ଅଳଙ୍କାର ଗଣନା କେବେ ହେବ,ସେ ସଂପର୍କରେ ଦୀର୍ଘଦିନ ଧରି ଚାଲିଆସିଥିବା ଯୁକ୍ତି, ଆରୋପ ପ୍ରତ୍ୟାରୋପର ଫଇସଲା ତୁରନ୍ତ ହେଉ ବୋଲି ଜଗନ୍ନାଥପ୍ରେମୀ ଆଶା ରଖିଛନ୍ତି । ସେପଟେ ଶାସକ-ବିରୋଧି ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରୁନି ତୁତୁ ମେମେ। ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରି ୨ ମାସ ମଧ୍ୟରେ ହାଇ ପାୱାର କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ହାଇ ପାୱାର କମିଟି ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ। ପୂର୍ବରୁ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାମଲା ଦାୟର କରିଥିଲେ ବିଜେପି ନେତା ସମୀର ମହାନ୍ତି ।୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।
ହାଇକୋର୍ଟରେ ବିଚାରାଧୀନ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଗଷ୍ଟ ୪ ତାରିଖରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି ସେ ସଂପର୍କରେ ମଧ୍ୟ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଏଥିସହ ଆବେଦନକାରୀ ସମୀର ମହାନ୍ତିଙ୍କ ପିଟିସନ୍ କିପରି ଗ୍ରହଣୀୟ ନୁହେଁ ତାହା ଉପରେ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହାକୁ ବିରୋଧ କରି ଆବେଦନକାରୀ ମଧ୍ୟ ରତ୍ନଭଣ୍ଡାରର କିପରି ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି ସେ ନେଇ ପ୍ରତିଜବାବ ରଖିଥିଲେ । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ହାଇକୋର୍ଟଙ୍କ କଥା ମାନି ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ରାଜ୍ୟସରକାରେ ୨ ମାସ ମଧ୍ୟରେ ହାଇ ପାୱାର କମିଟି କେବେ ଗଠନକରୁଛନ୍ତି ତାକୁ ଅପେକ୍ଷା ।