ଓଡ଼ିଶା 365 (ବ୍ୟୁରୋ): ବିକ୍ରି ପାଇଁ ଡିଲ କରୁଥିବା ବେଳେ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ବେପାରୀକୁ ଗିରଫ କରିଛି STF । ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଘାଟ ନିକଟରେ ଜୀବନ୍ତ ବଜ୍ରକାପ୍ତା ବିକ୍ରୀ ପାଇଁ ଚାଲିଥିଲା ଡିଲ୍। ତେବେ ଏତିକି ବେଳେ ଏସ୍ଟିଏଫ୍ ଟିମ୍ ପହଁଚି ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ବେପାରୀକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଘାଟ ନିକଟରେ ୧୦ ଲକ୍ଷ ଟଙ୍କାରେ ଏକ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା ହୋଇଥିଲା । ଏହି ଯୋଜନା କ୍ରମରେ ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଛକ ଦେଇ ବେପାରୀ ଜଣଙ୍କ ବଜ୍ରକାପ୍ତା ନେଇ ଯାଉଥିଲେ । ପୂର୍ବରୁ ସୂଚନା ପାଇଥିବା STF ଟିମ୍ ଦେବଗାଓଁ ବିଡି ଛକ ନିକଟରେ ଛକି ବସିଥିଲା । ବଜ୍ରକାପ୍ତା ବେପାରୀ ସେହି ରାସ୍ତା ଦେଇ ଯିବା ବେଳେ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସେବକ ଧାରୁଆ। ସେହିପରି ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ STF ଟିମ୍ ଖୋଳତାଡ଼ ଜାରି ରଖିଛି ।