ଓଡ଼ିଶା 365 (ବ୍ୟୁରୋ) : ୨୦୧୪ରେ ଭାରତ ବିଶ୍ବର ୫ମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବା ପରେ ଭାରତକୁ ଶକ୍ତିର ଏକ ନୂଆ ତରଙ୍ଗ ଆସିଛି। ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ୧୧୮ତମ ବାର୍ଷିକରେ ଅଧିବେଶନରେ ଉଦ୍ବୋଧନ ଦେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଶୁକ୍ରବାର ପିଏଚଡି ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ୧୧୮ତମ ବାର୍ଷିକରେ ଅଧିବେଶନରେ ଉଦ୍ବୋଧନ ଦେଇ କହିଛନ୍ତି, ଜି- ୨୦ ସଭାପତିତ୍ବ ପରିଚାଳନା କରିବା, ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସୂକ୍ଷ୍ମ ଅବତରଣ କରିବା ଭାରତ ପାଇଁ ଗୌରବର ବିଷୟ। ଯେତେବେଳେ ଭାରତ ୨୦୪୭ରେ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ ସେତେବେଳକୁ ଭାରତ ସବୁକ୍ଷେତ୍ରରେ ଏକ ନମ୍ବର ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପଦକ୍ଷେପ ନେଉଛନ୍ତି । ଏଥିସହିତ ଭାରତରେ ଗଣତନ୍ତ୍ର ଏବଂ ଟିମ୍ୱାର୍କ ଚାଲିଛି। ପ୍ରତ୍ୟେକ କ୍ଷେତ୍ରରେ ଭାରତ ୧ ନମ୍ବର ହେବାର ସମୟ ଆସିଛି। ୨୦୧୪ ପର୍ଯ୍ୟନ୍ତ ଦେଶରେ ୯୧୦୦୦ କିମି ଜାତୀୟ ରାଜପଥ ଥିଲା। ଗତ ୯ ବର୍ଷରେ ସରକାର ୫୦୦୦୦ କିମିର ଅଧିକ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି। ସଡ଼କ, ରାଜପଥ, ରେଳ ଏବଂ ବିମାନ ବନ୍ଦର ଆଦି ବ୍ୟବସାୟର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି ଶାହ କହିଛନ୍ତି। ଶାହ ଏହା ମଧ୍ୟ କହିଛନ୍ତି, ୨୦୨୭ ସୁଦ୍ଧା ଉତ୍ତର ପୂର୍ବାଞ୍ଚଳର ସମସ୍ତ ରାଜ୍ୟ ରାଜଧାନୀକୁ ସଡ଼କ, ରେଳ ଏବଂ ବିମାନ ଯୋଗେ ସଂଯୋଗ କରାଯିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ନୂଆ ଜାତୀୟ ଶିକ୍ଷା ନୀତି ଦ୍ବାରା ଭାରତ ଆସନ୍ତା ଏକ ଦଶନ୍ଧି ମଧ୍ୟରେ ବିଶ୍ବର ଏକ ଶିକ୍ଷାକେନ୍ଦ୍ରରେ ପରିଣତ ହେବ । ସ୍କିଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ଉଡାନ ଯୋଜନା ଆଦି କାର୍ଯ୍ୟକାରୀ ହେବାଦ୍ବାରା ଭାରତରେ ବାଣିଜ୍ୟ ତ୍ବରାନ୍ବିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ମୁଳଦୂଆ ପକାଇଛନ୍ତି। ତେଣୁ ଭାରତରେ ଶିଳ୍ପ କ୍ଷେତ୍ରର ଆକାରକୁ ବ୍ୟାପକ କରିବାକୁ ସେ ଉଦ୍ୟୋଗୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହା ସଠିକ ସମୟ ବୋଲି କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି ।