ଓଡ଼ିଶା 365 (ବ୍ୟୁରୋ) : ଏଣିକି ଆଗକୁ ବଢିବେ ମହିଳା, ଆଗକୁ ଗଡ଼ିବ ଭାରତର ବିକାଶ ରଥ। ମୋଦି ପୂରଣ କରିଛନ୍ତି ମହିଳାଙ୍କ ସ୍ୱପ୍ନ। ଯାହା ୭୦ବର୍ଷ ଧରି କଂଗ୍ରେସ ସରକାର କରିପାରିନଥିଲା ତାହା କରି ଦେଖାଇଛନ୍ତି ମୋଦି ସରକାର । ମହିଳାମାନଙ୍କର ପ୍ରଗତି ଦେଶକୁ ପହଞ୍ଜାଇବ ସଫଳତାର ଶିଖରରେ। ପୂର୍ବପରି ମହିଳା ଘର କୋଣରେ ନବସି ପଞ୍ଚାୟତ ଠୁ ଲୋକସଭାରେ ନିଜର ଉପସ୍ଥିତି ଜାହିର କରିବେ। ଶିକ୍ଷା,ସ୍ୱାସ୍ଥ୍ୟ ଓ ନିଯୁକ୍ତି,ପ୍ରତିରକ୍ଷା ପରେ ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ମିଳିବ ଅଧିକ ସୁଯୋଗ। ସଶକ୍ତ ଓ ସୁଦୃଢ ହେବେ ମହିଳା। ସର୍ବସମ୍ମତିକ୍ରମରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି । ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ। ଲିଙ୍ଗଗତ ନ୍ୟାୟ ପାଇଁ ଏହା ଯୁଗାନ୍ତକାରୀ ପରିବର୍ତ୍ତନ କ୍ରାନ୍ତି ହେବ କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩୩% ଫର୍ମୁଲା ଅନୁସାରେ ଲୋକସଭାର ୫୪୩ ଆସନ ମଧ୍ୟରୁ ୧୮୧ଟି ମହିଳାମାନଙ୍କ ଲାଗି ସଂରକ୍ଷିତ ରହିବ ।
ଏହି ବିଲକୁ ମହିଳା ସଂରକ୍ଷଣ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଏହା ୨୦୨୯ ନିର୍ବାଚନ ପୂର୍ବରୁ ଲାଗୁ ହେବାର ସମ୍ଭାବନା ନଥିବା ବେଳେ ସୀମା ପୁନଃ ନିର୍ଦ୍ଧାରଣ ଓ ଜନ ଗଣନା, ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ପରେ ହିଁ ବିଲ କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରତି ସୀମା ପୁନଃ ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ସିଟ୍ ବଦଳିବ। ଲୋକସଭା ଓ ରାଜ୍ୟ ବିଧାନସଭାର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ। ଏଗୁଡ଼ିକ ସିଧାସଳଖ ନିର୍ବାଚନ ଦ୍ୱାରା ପୂରଣ କରାଯିବ । ଭାରତଭଳି ପୁରୁଷ ପ୍ରଧାନ ଦେଶରେ ସାଧାରଣ ତ ମହିଳା ମାନେ ରକ୍ଷଣଶୀଳ ହୋଇଥାନ୍ତି । ବିଭିନ୍ନ ମତାମତରେ ଭାରି ପଡନ୍ତି ପୁରୁଷ । ମାତ୍ର ଏବେ ମହିଳା ମାନେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ, ଘରୁ ଗୋଡକାଢି ରାଜନୀତିର ମଇଦାନରେ ନିଜ ଭିତରେ ଥିବା ନେତୃତ୍ୱ ଦକ୍ଷତା ପ୍ରତିପାଦନ କରିବାକୁ ପଡିବ ।
ନିଷ୍ପର୍ତ୍ତି ନିଜକୁ ନେବାକୁ ପଡିବ। ଭରଷା ରଖିବାକୁ ପଡିବ ନିଜ ଭିତରେ ଥିବା ଦକ୍ଷତାର । ନିଜକୁ କରିବାକୁ ପଡିବ ପ୍ରସ୍ତୁତ। ନଚେତ୍ ପୂର୍ବପରି ଯେଭଳି ପତ୍ନୀ ବିଧାୟକ ହେଲେ ସ୍ୱାମୀ ହାତରେ କ୍ଷମତା ରହୁଥିଲା,କେବଳ ରବର ଷ୍ଟାମ୍ପ ସାଜୁଥିଲେ ମହିଳା। ପୁଣି ଯେମିତି ସେଭଳି ସ୍ଥିତି ନଉପୁଜେ ସେ ଦିଗରେ ମଧ୍ୟ ମହିଳାଙ୍କୁ ଧ୍ୟାନ ଦେବାକୁ ପଡିବ । ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ମହିଳାଙ୍କୁ ସଶକ୍ତ କରିବା ସହ ଆଗକୁ ଯିବାକୁ ବାଟ କଢାଇବା, ବିକାଶର ଶିଖରରେ ପହଞ୍ଜିବ ଭାରତ।