ଓଡ଼ିଶା 365 (ବ୍ୟୁରୋ) : ଥାଇରଏଡ ହରମୋନ୍ କମ୍ ହୋଇଗଲେ ହାଇପୋଥାଇରଏଡ ରୋଗ ହୁଏ । ଏହି ରୋଗର ମୁଖ୍ୟ କାରଣ ଆୟୋଡିନ ଭଳି ପଦାର୍ଥର ଖାଦ୍ୟରେ ଅଭାବ ଓ ଶରୀର ସୁରକ୍ଷାକାରୀ ରକ୍ଷକ କୋଷମାନେ ଥାଇରଏଡ ଗ୍ରନ୍ଥିକୁ ଆପେଆପେ ଖାଇଯିବା । ଥାଇରଏଡ ହରମୋନ୍ ଶିଶୁ ମାତୃଗର୍ଭରେ ରହିବାର ତିନିମାସରୁ ମୃତ୍ୟୁପର୍ଯ୍ୟନ୍ତ କ୍ଷରଣ ହୋଇଥାଏ । ଜନ୍ମଠାରୁ ଯେକୌଣସି ବୟସରେ ହାଇପୋଥାଇରଏଡ ରୋଗ ହୋଇପାରେ । ପିଲାଦିନରୁ ଏହି ରୋଗ ହେଲେ ପିଲା ଖାଇପାରେନାହିଁ, ଭୋକ ହୁଏନାହିଁ, ତା’ର ମାଂସ ପେଶୀ ଟାଣ ହୁଏନାହିଁ, ଦୁର୍ବଳ ଲାଗେ, ଚର୍ମ ଶୁଖିଲା ହୋଇ ବେଙ୍ଗଚର୍ମ ପରି ହୋଇଯାଏ । ପିଲାର ଉଚ୍ଚତା ବଢେ ନାହିଁ ଏବଂ ୧୦ବର୍ଷ ବେଳକୁ ପିଲା ବାମନ ଭଳି ହୋଇଯାଇଥାଏ । ଏହାକୁ କ୍ରେଟିନିଜିମ୍ କହନ୍ତି । ପାଠ ପଢିଲେ କିଛି ମନେ ରହେନାହିଁ । ସବୁବେଳେ ବୋକା ପରି ଲାଗେ ।ମହିଳାମାନଙ୍କୁ ଅଧିକ ହାଇପୋଥାଇରଏଡ ରୋଗ ହୁଏ । ସେମାନେ ମୋଟା ହୋଇଯାଆନ୍ତି । ସୁନ୍ଦର ହୋଇଥିଲେ ବି ମୁହଁ, ଆଖିପତା ଫୁଲିଯାଏ ଏବଂ ଅସୁନ୍ଦର ଦେଖାଯା’ନ୍ତି । ମୁହଁରେ କଳାକଳା ଦାଗ ହୋଇଯାଏ । ମୁଣ୍ଡ ଏବଂ ଆଖିପତାରୁ କେଶ ଉପୁଡିଯାଏ । ପେଟ ସଫା ହୋଇପାରେନି । ବେଳେବେଳେ ୩ଦିନରେ ଥରେ ପାଇଖାନା ଯିବାକୁ ହୁଏ ।
କୋମଳ ସ୍ଵର ଥିଲେ ବି କର୍କଶ ହୋଇଯାଏ । ମାସିକ ଋତୁସ୍ରାବ ଦୁଇ-ତିନିମାସ ବନ୍ଦ ହୋଇଯାଏ ଏବଂ ପରେ ଅଧିକ ଋତୁସ୍ରାବ ହୁଏ । ସମ୍ଭୋଗ ଇଚ୍ଛା କମିଯାଏ । ଶ୍ଵାସକ୍ରିୟାରେ କଷ୍ଟ ହୁଏ । କୌଣସି କାମରେ ମନ ଲାଗେ ନାହିଁ । ସବୁ କଥାରେ ହାଲିଆ ଲାଗେ । ଏପରିକି କ’ଣ କାମ କରିବେ ବୋଲି ମନେ ନପଡ଼ିବାରୁ କାମ ଅଧାରୁ ଯାଇ ଘୁଙ୍ଗୁଡି ମାରି ଶୋଇପଡନ୍ତି । ଫଳରେ ବହୁ ପାରିବାରିକ ସମସ୍ୟା ସୃଷ୍ଟି ହୋଇଥାଏ । ହାଇପୋଥାଇରଏଡ ସମସ୍ୟାରେ ଗର୍ଭସଞ୍ଚାର ହୁଏନାହିଁ । ଗର୍ଭ ରହିଲେ ମଧ୍ୟ ପିଲା ଠିକ୍ ଭାବେ ବଢିପାରେନି । କେତେକ କ୍ଷେତ୍ରରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟେ ନଚେତ୍ ମୃତଶିଶୁ ଜନ୍ମ ନିଏ । କେତେକଙ୍କର କାନକୁ ମଧ୍ୟ ଭଲ ଶୁଣାଯାଏନି । ଦେହରେ ସବୁବେଳେ ପୋକ ଚାଲିଲା ଭଳି ଝିମ୍ ଝିମ୍ ହୁଏ । କମ୍ ଖାଇଲେ ସୁଦ୍ଧା ଓଜନ ବଢି ପାଦ ଫୁଲିଯାଏ ।
ହାଇପୋଥାଇରଏଡ ରୋଗରେ ଶରୀରରେ ଯେତେପ୍ରକାର ଅଙ୍ଗ ଅଛନ୍ତି, ସବୁ ଅଙ୍ଗରେ ଥିବା ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ ସତର୍କ ଦୃଷ୍ଟିରେ ରୋଗ ଚିହ୍ନିବା ଆବଶ୍ୟକ । ଡାକ୍ତରମାନେ ଏହି ପ୍ରକାର ରୋଗୀଙ୍କୁ ଦେଖିବାମାତ୍ରେ ଚିହ୍ନିଦିଅନ୍ତି । ମାତ୍ର ଗୋଟିଏ ଲାବୋରେଟୋରୀ ପରୀକ୍ଷାରେ ଏହି ରୋଗ ଚିହ୍ନା ପଡିଥାଏ, ଯାହାର ନାଁ- ଥାଇରଏଡ ଫଙ୍କସନ୍ ଟେଷ୍ଟ । ଚିକିତ୍ସା ମଧ୍ୟ ବହୁତ ଶସ୍ତା । ସକାଳେ ମାତ୍ର ଗୋଟିଏ ଥାଇରକ୍ସିନ୍ ବଟିକା ଖାଲି ପେଟରେ ଖାଇବ । ଏତିକି ନକଲେ ସାରା ଜୀବନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବା ସାର ହେବ ।