ଓଡ଼ିଶା 365 (ବ୍ୟୁରୋ): ସୁନ୍ଦରଗଡ଼କୁ ଘାରିଛି ସ୍କ୍ରବ ଟାଇଫସ ଚିନ୍ତା। ଏହି ସ୍କ୍ରବ୍ ଟାଇଫସ୍ ରୋଗ ସୁନ୍ଦରଗଡରେ ଏବେ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଲାଣି । ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ସିନା କମିବାର ନାଁ ନେଉନି । ଏହି କ୍ରମରେ ସୁନ୍ଦରଗଡ଼ରୁ ପୁଣି ୨୦ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମୁଦାୟ ପଜିଟିଭ ସଂଖ୍ୟାକୁ ମିଶାଇ ଏବେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ତେବେ ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣିଆ ମେଡିକାଲ ଟିମ୍ ଗଠିତ ହୋଇଛି । ଏହି ଟିମର ସଦସ୍ୟମାନେ ଶୁକ୍ରବାର ଝାରସୁଗୁଡାରେ ପହଞ୍ଚି ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହି ୪ ଜଣିଆ ଟିମ୍ରେ ପ୍ରଫେସର ଡକ୍ଟର ସମୀର ଗୁଲାଟି, ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ ଡେପୁଟି ଡାରେକ୍ଟର ଡକ୍ଟର ତୁଷାର ନାଲେ, ମାଇକ୍ରୋବାୟୋଲୋଜି ଆସିଷ୍ଟାଣ୍ଟ ଡାରେକ୍ଟର ଡାକ୍ତର ଧରା ବି ଶାହ, ଆଇଡିଏସପି ଇଆଇଏସ ଅଫିସର ଡକ୍ଟର ଆରୁଷି ଘାଇ ସାମିଲ ଅଛନ୍ତି।
କହିରଖୁ କି, ବୁଧବାର ସୁଦ୍ଧା ଜିଲ୍ଲାରେ ୨୯୨ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରି ମାସରେ ପ୍ରଥମ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିଲା ।