ଓଡ଼ିଶା 365 (ବ୍ୟୁରୋ) : ଆସୁଛି ପାର୍ବଣ । ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ଧରାବତରଣ କରିବେ ଦୁର୍ଗତିନାଶିନୀ ମା’ ଦୁର୍ଗା । ଏବେଠାରୁ ଆରମ୍ଭ ହୋଇସାରିଲାଣି ମଣ୍ଡପ ପ୍ରସ୍ତୁତି କାର୍ଯ୍ୟ ।ତେବେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ପାଇଁ ଆବଶ୍ୟକ ମୂର୍ତ୍ତିକାର ଅନୁକୂଳ କରାଯାଇଥିଲା । ଏଥିପାଇଁ ପୂଜା ମଣ୍ଡପର କର୍ମକର୍ତ୍ତା ନଦୀପଠାକୁ ଯାଇ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ତେବେ ୮ଟି ସ୍ଥାନର ମୃତ୍ତିକାର ମିଶ୍ରଣକୁ ନେଇ ମା’ଙ୍କ ମୄଣ୍ମୟୀ ମୂର୍ତ୍ତି ପ୍ରସ୍ତୁତ କରାଯୀଇଥାଏ । ଆଉ ଏହି ମୂର୍ତ୍ତି ଜୀବନ୍ୟାସ ପାଇବା ପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା’ଙ୍କ ଆଗମନ ପାଇଁ ଭକ୍ତ ବ୍ୟାକୁଳତାର ସହ ଅପେକ୍ଷା କରିଥିବାବେଳେ ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଯେତେବେଳେ ଧରାପୃଷ୍ଠରେ ପାପର ଭାର ବଢିଯାଏ ସେତେବେଳେ ଈଶ୍ୱର କୌଣସି ନା କୌଣସି ରୂପରେ ଧରାବତରଣ କରି ପାପର ବିନାଶ କରିଥାନ୍ତି । ଏହିପରି ଏକ କାରଣ ପାଇଁ ମଧ୍ୟ ଦେବୀ ଦୁର୍ଗାଙ୍କର ଧରାବତରଣ ହୋଇଥିଲା । ମହିଷାସୁର ନାମକ ରାକ୍ଷସର ଉତ୍ପାତରେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ଥରହର ହେଉଥିଲା । ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ । ଶେଷରେ ଦେବଗଣଙ୍କ ଶକ୍ତି ଓ ତେଜରୁ ଆବିର୍ଭାବ ହୋଇଥିଲେ ମା ଦୁର୍ଗା ।
ମହିଷାସୁରକୁ ବଧ କରି ଜଗତର ଦୁର୍ଗତି ନାଶ କରିଥିବାରୁ ତାଙ୍କ ନାମ ହୋଇଥିଲା ଦୁର୍ଗା, ଦୁର୍ଗତିନାଶିନୀ, ମହିଷାସୁର ମର୍ଦ୍ଦିନୀ । ପୂଜା ପେଣ୍ଡାଲରେ ଆମେ ଦେଖିଥାଉ ଦୁର୍ଗାଙ୍କ ମୂର୍ତ୍ତି ସହିତ ମହିଷାସୁରର ପ୍ରତିମା ମଧ୍ୟ ରହିଥାଏ । ମା ତ୍ରିଶୂଳରେ ମହିଷାସୁରକୁ ବଧ କରୁଥିବାର ଦେଖାଯାଏ । ତେବେ ମାଙ୍କ ମୂର୍ତ୍ତି ସହିତ ମହିଷାସୁରର ମୂର୍ତ୍ତି କାହିଁକି ରହିଥାଏ । ଏହା ପଛରେ ମାଙ୍କ କରୁଣାମୟ ହୃଦୟର ପରିପ୍ରକାଶ ଘଟିଥାଏ । ଶତ୍ରୁ ଉପରେ ବି ମାଙ୍କ ଦୟାଭାବ ରହିଥାଏ ଏହା ଏଥିରୁ ସୂଚୀତ ହୁଏ । ଦେବୀ ଭାଗବତ ପୁରାଣ ଅନୁଯାୟୀ ରମ୍ଭ ନାମକ ଏକ ଅସୁର ଅଗ୍ନିଦେବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ଏକ ପୁତ୍ର ପ୍ରାପ୍ତ ହୋଇଥିଲା । ରମ୍ଭ ଦନୁର ପୁତ୍ର ଥିଲା । ଦନୁର ପୁତ୍ର ଦାନବ ଭାବରେ ପରିଚିତ । ରମ୍ଭର ଜଳରେ ରହୁଥିବା ମହିଷ ସହ ପ୍ରେମ ହୋଇ ଯାଇଥିଲା । ଉଭୟଙ୍କ ସଂଯୋଗରୁ ମହିଷାସୁର ଜନ୍ମ ହୋଇଥିଲା । ବରଦାନ ପ୍ରଭାବରୁ ଏହି ଅସୁର ନିଜ ଇଚ୍ଛା ମୁତାବକ ମଣିଷ କିମ୍ବା ମଇଁଷି ରୂପ ଧାରଣ କରିପାରୁଥିଲା । ବ୍ରହ୍ମାଜୀଙ୍କୁ ତପସ୍ୟା କରି ଏହି ଅସୁର ବରଦାନ ପାଇଥିଲା ଯେ, କେବଳ କୌଣସି ନାରୀ ହାତରେ ହିଁ ତାର ଅନ୍ତ ହେବ । ଏଣୁ ମହିଷାସୁର ଦେବତାଙ୍କ ଲାଗି ଅଜେୟ ଥିଲା ଓ ଅଖଣ୍ଡ ଶକ୍ତିର ଅଧିକାରୀ ଥିବାରୁ ଦେବଲୋକ ଉପରେ ଅଧିକାର ସାବ୍ୟସ୍ତ କରି ବସିଥିଲା ।
ମହିଷାସୁର ଶାସନରେ ମାନବଲୋକ ଠାରୁ ଦେବଲୋକ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଠ ଥିଲେ । ଏପରି ସ୍ଥିତିରେ ସମସ୍ତ ଦେବୀ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇ ପଚାରିଥିଲେ ଏପରି କେଉଁ ନାରୀ ଅଛନ୍ତି ଯିଏ କି ପ୍ରଚଣ୍ଡ ଶକ୍ତିଶାଳୀ ମହିଷାସୁରକୁ ବଧ କରିପାରିବ । ଏହାପରେ ବିଷ୍ଣୁ କହିଥିଲେ ଯଦି ସମସ୍ତ ଦେବତାଙ୍କ ତେଜରୁ , ସମସ୍ତଙ୍କ ଶକ୍ତିର ଅଂଶରୁ କୌଣସି ସୁନ୍ଦରୀ ନାରୀ ଉତ୍ପନ୍ନ କରାଯାଇ ପାରିବ ତେବେ ସେହି ବୀରା ନାରୀ ମାୟାବୀ ମହିଷାସୁରକୁ ହତ୍ୟା କରିପାରିବ । ଭଗବତୀ ପରାଶକ୍ତିଙ୍କୁ ଆରାଧନା କରିବା ଲଶଗି ବିଷ୍ଣୁ ସମସ୍ତ ଦେବତାଙ୍କୁ କହିଥିଲେ । ଏହାପରେ ବ୍ରହ୍ମାଙ୍କ ମୁଖରୁ ଅସହ୍ୟ ତେଜପୁଞ୍ଜ ନିସୃତ ହୋଇଥିଲା । ସୁନ୍ଦର ଆକୃତିର ଏହି ତେଜ ଲାଲ ରଙ୍ଗର ଥିଲା । ଏହାପରେ ଭଗବାନ ଶିବଙ୍କ ଶରୀରରୁ ମହାପ୍ରଚଣ୍ଡ ତେଜ ନିର୍ଗତ ହୋଇଥିଲା ।
ଭଗବାନ ବିଷ୍ଣୁଙ୍କ ଶରୀରରୁ ସତ୍ୟଗୁଣ ସଂପନ୍ନ ନୀଳବର୍ଣ୍ଣ ଓ ଅତ୍ୟନ୍ତ ଦୀପ୍ତିମାନ ତେଜରାଶି ପ୍ରକଟିତ ହୋଇଥିଲା । ଏହା ପରେ ଇନ୍ଦ୍ର, କୁବେର, ଯମ, ଅଗ୍ନି, ବରୁଣ, ଚନ୍ଦ୍ର ଇତ୍ୟାଦି ସମସ୍ତ ଦେବତାଙ୍କ ଶରୀରରୁ ଅତିଶୟ ପ୍ରଦୀପ୍ତ ତେଜ ନିର୍ଗତ ହୋଇଥିଲା । ହିମାଳୟ ପର୍ବତ ସମ ବିଶାଳ ମହାଦିବ୍ୟ ତେଜରାଶିରୁ ଜଣେ ସୁନ୍ଦର ମହାତେଜସ୍ୱୀ ବହୁ ଭୂଜା ନାରୀ ପ୍ରକଟ ହୋଇଥିଲେ । ଏହାପରେ ଦେବଗଣ ତାଙ୍କୁ ବିବିଧ ବସ୍ତ୍ର ଓ ଭୂଷଣ ପ୍ରଦାନ କରିଥିଲେ । ସିଂହ ଉପରେ ସବାର ଦେବୀଙ୍କୁ ଦେବଗଣ ନିଜ ନିଜ ଆୟୁଧ ପ୍ରଦାନ କରିଥିଲେ । ତତ୍ପରାନ୍ତ ଦେବୀଙ୍କୁ ମହିଷାସୁର ଅତ୍ୟାଚାର ବିଷୟରେ ବଖାଣି ସୃଷ୍ଟି ରକ୍ଷା ଲାଗି ତାଙ୍କ ନିକଟରେ ନିବେଦନ କରିଥିଲେ । ଦେବୀ ସମସ୍ତ ଦେବଗଣଙ୍କୁ ଆଶ୍ୱସ୍ତ କରି ଅଭୟ ବାଣୀ ଶୁଣାଇ ଥିଲେ । ସମଗ୍ର ବିଶ୍ୱକୁ ମୋହରୁ ଉଦ୍ଧାର କରିବା ପାଇଁ ଦେବୀ ଅଟ୍ଟହାସ୍ୟ କରିଥିଲେ ଓ ଏହି ଅଟ୍ଟହାସ୍ୟରେ ପୃଥିବୀ କମ୍ପି ଉଠିଥିଲା, ହିମାଳୟ ହଲି ଯାଇଥିଲା ଆଉ ସମୁଦ୍ରରେ ଜୁଆର ଉଠିଥିଲା । ଦେବୀଙ୍କ ଜୟ ଜୟକାରରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା ଯାହା ଶୁଣି ମହିଷାସୁର ଭୟଭୀତ ହୋଇ ଉଠିଥିଲା ।
ମହିଷାସୁର ଏହା ଶୁଣି ତାର ଦୂତଙ୍କୁ ଏହି ଶବ୍ଦ କେଉଁଠୁ ଆସୁଛି ଠାବ କରିବା ପାଇଁ ପଠାଇଥିଲା । ମହିଷାସୁର ଦୂତଙ୍କୁ ମା କହିଥିଲେ ତୁମ ରାଜା ଦେବତାଙ୍କ ଉପରେ ଅତ୍ୟାଚାର କରୁଥିବାରୁ ସେମାନଙ୍କ ଯଜ୍ଞରୁ ମୁଁ ଜାତ ହୋଇଛି ତୁମ ରାଜାଙ୍କୁ ବଧ କରିବା ପାଇଁ । ତୁମେମାନେ ଏହି ସନ୍ଦେଶ ତୁମ ରାଜାଙ୍କୁ ଯାଇ ଦିଅ ।ଏହାଶୁଣି ମହିଷାସୁର ପ୍ରଚଣ୍ଡ କ୍ରୋଧାନ୍ୱିତ ହୋଇ ଦୁର୍ମୁଖ ଓ ବାଷ୍କଳ ନାମକ ଦୈତ୍ୟଙ୍କୁ ଯୁଦ୍ଧ ପାଇଁ ପଠାଇଥିଲା । ଦେବୀଙ୍କ ସହ ଯୁଦ୍ଧରେ ସମସ୍ତେ ମୃତୁ୍ୟବରଣ କରିଥିଲେ । ଗୋଟିଏ ପରେ ଗୋଟିଏ ପରାକ୍ରମୀ ରାକ୍ଷସ ମହିଷାସୁର ସହ ଯୁଦ୍ଧରେ ମୃତୁ୍ୟବରଣ କରିବା ପରେ ଶେଷରେ ମହିଷାସୁର ଆକର୍ଷଣୀୟ ମାନବ ରୂପ ଧରି ମାଙ୍କ ସହ ଯୁଦ୍ଧ ପାଇଁ ଯାଇଥିଲା । ସେ ଭାବିଥିଲା ତାର ଆକର୍ଷଣୀୟ ରୂପରେ ସେ ଦେବୀଙ୍କୁ ଆକୃଷ୍ଟ କରିବ । ସେ ଭଗବତୀଙ୍କ ସାମ୍ନାରେ ପହଞ୍ଚି ରସପୂର୍ଣ୍ଣ କଥା କହିଥିଲା । ଏହାଶୁଣି ମା କହିଥିଲେ ମୁଁ ପରମ ପୁରୁଷର ଇଚ୍ଛାଶକ୍ତି, ମୁଁ ହିଁ ଜଗତ ରଚନା କରେ । ମୋର କୌଣସି ରୂପ ନାହିଁ । ତୁ ଏବେ ମୋ ସହ ଯୁଦ୍ଧ କର କିମ୍ବା ଯାଇ ପାତାଳରେ ଲୁଚ । ଏହାପରେ ମହିଷାସୁର ଓ ମାଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ମହିଷାସୁର ମନୁଷ୍ୟ ରୂପ ଛାଡି ବିଭିନ୍ନ ଭୟଙ୍କର ରୂପ ଧାରଣ କରି ମାଙ୍କୁ ଆକ୍ରମଣ କରୁଥିଲା । ଭଗବତୀ ପ୍ରଚଣ୍ଡ କ୍ରୋଧରେ ଶେଷରେ ନିଜ ତ୍ରିଶୂଳରେ ତାର ହୃଦୟକୁ ବିଦ୍ଧ କରିଥିଲେ ।
ଦେବୀ ଓ ମହିଷାସୁର ମଧ୍ୟରେ ୯ ଦିନ ଲାଗି ଏହି ମହାଯୁଦ୍ଧ ହୋଇଥିଲା । ନିଜର ଅନ୍ତ ସମୟରେ ମହିଷାସୁର ମା ଦୁର୍ଗାଙ୍କ ଶକ୍ତି ବିଷୟରେ ଜାଣିପାରିଲା ଓ ଅସୁର ଶେଷରେ ଦେବୀଙ୍କୁ ପ୍ରାର୍ଥନା କରିଥିଲା, ହେ ମାତା ଆପଣଙ୍କ ହାତରେ ମୋର ବଧ ହୋଇଛି ଓ ମୋତେ ମୁକ୍ତି ମିଳିଯାଇଛି । ମୁଁ ଆପଣଙ୍କର ଶରଣାଗତ । ମୋର ଉଦ୍ଧାର ଲାଗି ଆପଣ କିଛି ଉପାୟ କରନ୍ତୁ । ଏହାପରେ ମାତାଙ୍କ କରୁଣା ଦୃଷ୍ଟି ତା ଉପରେ ପଡିଥିଲା ଓ ମା ବରଦାନ ଦେଇଥିଲେ ମୋ ହାତରେ ତୁମର ମୃତୁ୍ୟ ହୋଇ ତୁମେ ମୋର ସାଜୁଯ୍ୟ ପ୍ରାପ୍ତ ହୋଇଛ । ମର୍ତ୍ତ୍ୟଲୋକରେ ମୋ ସହ ତୁମର ବି ପୂଜା ହେବ । ଏହି କାରଣରୁ ମାତାଙ୍କ ସହିତ ମହିଷାସୁରର ମୂର୍ତ୍ତି ନିର୍ମାଣ କରାଯାଇ ୯ ଦିନ ପର୍ଯ୍ୟନ୍ତ ପୂଜା କରାଯାଏ ।